କନକ ବ୍ୟୁରୋ : ଧାମନଗର ଉପିନିର୍ବାଚନ ପାଇଁ ରାଜନୀତି ସରଗରମ ଥିବାବେଳେ ବିଜେଡିରେ ବିଦ୍ରୋହୀ ସାଜିଛନ୍ତି ପୂର୍ବତନ ବିଧାୟକ ରାଜୁ ଦାସ । ଆଉ ସମର୍ଥକଙ୍କ ଗହଣରେ ଆସି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଉପନିର୍ବାଚନ ପୂର୍ବରୁ ଧାମନଗର ବିଜେଡିର ଏହି କନ୍ଦଳ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଚର୍ଚ୍ଚା ହେଉଛି ରାଜୁଙ୍କ ବିଦ୍ରୋହ ବିଜେଡି ପାଇଁ ଅଡୁଆ ହୋଇପାରେ । ହେଲେ, ରାଜୁ ଦାସଙ୍କ ନାମାଙ୍କନ ବିଜେଡି ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା । ଯାହା ଧାମନଗର ରାଜନୀତିକୁ ରୋଚକ କରିଛି ।

Advertisment

ଧାମନଗରରୁ ଆସିଥିବା ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କ, ଭିଡିଓ ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଭଦ୍ରକ ବିଜେଡି ଇତିହାସରେ ବୋଧହୁଏ ଏମିତି ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଯେତେବେଳେ ଦଳର ନିଷ୍ପତି ବିରୋଧରେ ଯାଇ କାଲି ପର୍ଯ୍ୟନ୍ତ ସାଂଗରେ ଥିବା ଜଣେ ତୁଙ୍ଗ ନେତା, ସମର୍ଥକଙ୍କ ଗହଣରେ ଆସି ଉପନିର୍ବାଚନ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଭରୁଥିବେ । ଆଉ ନାମାଙ୍କନ ଦାଖଲ କରିବା ପରେ ଖୋଲାଖୋଲି ଅଭିଯୋଗ କରୁଥିବେ । ଆଉ କହୁଥିବେ, ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ତେଣୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦନାକୁ ଓହ୍ଲାଇଛନ୍ତି । ସ୍ୱାଭିମାନ ପାଇଁ ଲଢ଼େଇ ହେବ । ବିଜେଡି ତାଙ୍କ ପ୍ରତି ଅବିଚାର କରିଛି । ତାର ଜବାବ ଧାମନଗରବାସୀ ଦେବେ । କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ସେ ହାରି ଯାଇଥିଲେ । ଏଥର ନିଶ୍ଚୟ ବିଜୟୀ ହେବେ । ଏଥିସହ ଭାବବିହ୍ୱଳତାର କାର୍ଡ ଖେଳି କୋହଭରା କଣ୍ଠରେ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ ।

ଗୋଟିଏ ପଟେ ପୂର୍ବତନ ବିଧାୟକ ରାଜୁ ଦାସ ବିଦ୍ରୋହୀ ସାଜିଥିବାବେଳେ ଅନ୍ୟପଟେ, ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସ ନାମାଙ୍କନ କରିବାକୁ ଯିବାବେଳେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳର ବହୁ ବିଧାୟକ, ସାଂସଦଙ୍କ ସହ ବିରାଟ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଅବନ୍ତୀ । ନାମାଙ୍କନ ଦାଖଲ ପରେ ଅବନ୍ତୀ କହିଛନ୍ତି ନବୀନଙ୍କୁ ଲୋକ ଭଲ ପାଆନ୍ତି । ବିଜେଡିକୁ ଭଲ ପାଆନ୍ତି । ଦଳ ଭିତରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ । ବାଜିମାତ କରିବ ବିଜେଡି ।

ରାଜୁ ଦାସ ବିଦ୍ରୋହୀ ସାଜିବା ପରେ ଧାମନଗର ଉପନିର୍ବାଚନର ଫଳାଫଳ ପ୍ରଭାବିତ ହେବ ବୋଲି ଚର୍ଚ୍ଚା ହେଉଛି । କୁହାଯାଏ ଧାମନଗର ନିର୍ବାଚନ ମଣ୍ଡଳୀରେ ରାଜୁ ଦାସଙ୍କର ପକେଟ ଭୋଟ ରହିଛି, ଯାହା ବିଜେଡି ଭୋଟକୁ ଭାଗ ଭାଗ କରିବ । କିନ୍ତୁ ଦଳୀୟ ନେତା କହିଛନ୍ତି ରାଜୁ ଦାସ ପ୍ରାର୍ଥୀ ହେବା ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ପ୍ରଚାରକୁ ଜୋରଦାର କରିଥିବାବେଳେ, ବିଜେଡିର ପୂର୍ବତନ ବିଧାୟକ ରାଜୁ ଦାସ ବିଦ୍ରୋହୀ ସାଜିବା ଓ ସ୍ୱାଧୀନ ଭାବେ ନାମାଙ୍କନ ଭରିବା ଉପନିର୍ବାଚନକୁ ରୋଚକ କରିଛି । ତେବେ ପ୍ରଶ୍ନ ଉଠୁଛି, ରାଜୁ ଦାସ ବିଜେଡି ଗଣିତକୁ ବିଗାଡିବେ କି? ଉପିନିର୍ବାଚନରେ ବିଜେଡିର ବିଜୟ ଧାରାରେ ବାଧକ ହେବେ କି? ନା ଉପ-ନିର୍ବାଚନ ବିଜୟଧାରାକୁ ବଜାୟ ରଖିବାରେ ସକ୍ଷମ ହେବ ବିଜେଡି?