ଜେଡିୟୁରେ ଯୋଗ ଦେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗ୍ରହଣ କଲେ ଦଳର ସଦସ୍ୟତା ।

137

କନକ ବ୍ୟୁରୋ : ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁ (ସଂଯୁକ୍ତ ଜନତା ଦଳ) ରେ ଯୋଗ ଦେଇଛନ୍ତି । ଏନେଇ ସେ ପାଟନା ଠାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ବିଜେପି କିମ୍ବା ଜେଡିୟୁରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ହେଲେ ସେ ତା’ର ଅନ୍ତ ଘଟାଇ ଆଜି ଜେଡିୟୁରେ ଯୋଗ ଦେଇଛନ୍ତି ।

ଜେଡିୟୁ ତାଙ୍କୁ କୌଣସି ଏକ ସମ୍ବେଦନଶୀଳ ଆସନରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ ଲଗାଇଛନ୍ତି ରାଜନୈତୀକ ବିଶେଷଜ୍ଞ ମାନେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ବେଳେ ଚର୍ଚ୍ଚାକୁ ଆସିଥିଲେ ଶ୍ରୀ ପାଣ୍ଡେ । ଗତକାଲି ସେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ପାଟନା ଠାରେ ତାଙ୍କ ବାସଭବନରେ ଭେଟିଥିଲେ । ତେଣୁ କାଲିଠାରୁ ସେ ଜେଡିୟୁରେ ଯୋଗ ଦେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲେ ବିହାରବାସୀ ।

ସୁଶାନ୍ତଙ୍କୁ ନ୍ୟାୟ ଦେବାର ଆଳ କରି ନିର୍ବାଚନ ଲଢିବାକୁ ଚାହୁଁଥିବା ଗୂୁପ୍ତେଶ୍ୱରଙ୍କ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲା । ହେଲେ ରାଜନୀତିରେ ସବୁ ସମ୍ଭବ ନ୍ୟାୟରେ ଗୁପ୍ତେଶ୍ୱର ଯେତେବେଳେ ଜେଡିୟୁରେ ଯୋଗ ଦେଇଛନ୍ତି ତେବେ ଜେଡିୟୁ ଏବେ ସୁଶାନ୍ତଙ୍କୁ ନ୍ୟାୟ ଦେବା ମୁର୍ଦ୍ଦା କୁ ନେଇ ନିର୍ବାଚନ ମଇଦାନକୁ ଉହ୍ଲାଇବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଜେଡିୟୁରୁ ତାଙ୍କୁ ସଦସ୍ୟତା ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।