କନକ ବ୍ୟୁରୋ: ନୀତିଶ ସରକାରକୁ ସମର୍ଥନ ପ୍ରତ୍ୟାହାର କଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝୀଙ୍କ ଦଳ ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚା । ସୋମବାର ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚା ନୀତିଶ ସରକାରରୁ ନିଜର ସମର୍ଥନ ଫେରାଇ ନେଇଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଞ୍ଝୀଙ୍କ ପୁଅ ସନ୍ତୋଷ ସୁମନ ଏନେଇ ସୂଚନା ଦେବା ସହିତ, ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କଠାରୁ ସମୟ ମଗାଯାଇଥିବା କଥା କହିଛନ୍ତି ।

Advertisment

ସନ୍ତୋଷ ସୁମନଙ୍କ କହିବା କଥା, ଆମେ ସମସ୍ତ ବିକଳ୍ପ ଖୋଜିବାକୁ ଦିଲ୍ଲୀ ଯାଉଛୁ । ଦିଲ୍ଲୀରେ ଆମ ପାଇଁ ବିକଳ୍ପ ଖୋଲା ଅଛି । ସେଠାରେ ସମସ୍ତ ବିକଳ୍ପ ନେଇ ବିଚାର ବିମର୍ଶ ହେବ । ତେବେ ନିଶ୍ଚିତ ଭାବେ ଏନଡିଏଠାରୁ ଆମନ୍ତ୍ରଣ ପାଇଲେ ସେ ନେଇ ଆଲୋଚନା ହେବ ବୋଲି ସନ୍ତୋଷ ସୁମନ କହିଛନ୍ତି । ତା ସହିତ ତୃତୀୟ ପକ୍ଷ ମେଣ୍ଟ ନେଇ ମଧ୍ୟ ସେ କଥା ହେବେ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଏକଥା ସ୍ପଷ୍ଟ ଯେ, ସେ ନୀତିଶ ସରକାରଠୁ ନିଜର ସମର୍ଥନ ଫେରାଇ ନେଇଛନ୍ତି ।

ବିହାର ମହାମେଣ୍ଟ ସରକାରରେ ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚା ସଦସ୍ୟ ରହିଥିଲା । ଦଳ ପାଖରେ ୪ ଜଣ ବିଧାୟକ ରହିଛନ୍ତି । ତେବେ ୨୪୩ ବିଧାୟକ ବିଶିଷ୍ଟ ବିହାର ବିଧାନସଭାରେ ଶାସକ ମହାମେଣ୍ଟ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ରହିଛି । ଯେଉଁଥିରେ ଜନତା ଦଳ ୟୁନାଇଟେଡ୍, ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ତିନି ଜଣ ବାମପନ୍ଥୀ ବିଧାୟକ ମଧ୍ୟ ରହିଛନ୍ତି ।