କନକ ବ୍ୟୁରୋ : ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ କନିଷ୍ଠ ପୁତ୍ର ହେଉଛନ୍ତି ଉମେଶ । ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ୭୪ ବର୍ଷୀୟ ଉମେଶ ଚନ୍ଦ୍ର ସ୍ବାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ ,କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରାର ଲମ୍ବା ଇତିହାସ । ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ସେ ବେଶ ପରିଚିତ ଥିଲେ। ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ନିଜ ଜୀବନର ଅଂଶବିଶେଷ କରି ଜନତାଙ୍କ ସେବା ପାଇଁ ପ୍ରଥମେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ବିଜୁଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରୁ ରଘୁନାଥ ମହାପାତ୍ରଙ୍କୁ ଦଳ ଚୟନ କରିଥିବାରୁ ୧୯୭୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସାଇକେଲ ଚିହ୍ନରେ ନିର୍ବାଚନ ମଇଦାନକୁ ଓହ୍ଲାଇ ୫୫୭୯ ଭୋଟ ପାଇ ରାଜ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଏହି ନିର୍ବାଚନ ଲଢିବା ଦ୍ୱାରା ବିଜୁବାବୁଙ୍କ ସମର୍ଥିତ ପ୍ରାର୍ଥୀ ରଘୁନାଥ ମହାପାତ୍ରଙ୍କ ପରାଜୟ ଘଟିବା ସହ କଂଗ୍ରେସର ହେଭିୱେଟ ନେତା ବାସୁଦେବ ମହାପାତ୍ରଙ୍କ ଜିତିବା ପଥ କୁସୁମିତ ହୋଇଥିଲା ।
ଏହି ନିର୍ବାଚନ ଲଢିବା ଦ୍ବାରା ସେ ବିଜୁବାବୁଙ୍କୁ ପ୍ରଭାବିତ କରିବା ସହ ତତ୍କାଳୀନ ବାଲିକୁଦା ଓ ନାଉଗାଁ ବ୍ଲକକୁ ନେଇ ଗଠିତ ବାଲିକୁଦା ନିର୍ବାଚନ ମଣ୍ଡଳୀ ଜନମାନସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ଆଉ ପଛକୁ ନ ଫେରି ସେ ସମୟରେ ଚର୍ଚ୍ଚିତ ଚେହେରା ତଥା ବିଜୁଙ୍କ ବିଶ୍ୱସ୍ଥ ନଳିନୀ ମହାନ୍ତି ଓ ଶ୍ରୀକାନ୍ତ ଜେନାଙ୍କ ସହ ଅନେକ ଆନ୍ଦୋଳନରେ ଭାଗ ନେବା ସହ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଆଣି ବାଲିକୁଦା ବ୍ଲକ ସମ୍ମୁଖରେ କଂଗ୍ରେସ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ନଳିନୀ ,ଶ୍ରୀକାନ୍ତ ଓ ଉମେଶଙ୍କ ମଧ୍ୟରେ ଏଭଳି ବନ୍ଧୁତା ଥିଲା ଯେ ଏମାନେ ଏକତ୍ରିତ ଭାବେ ‘ସନ’ ନାମରେ ଏକ ବସ ଚଳାଇଥିଲେ ।
ଯେଉଁଥିପାଇଁ ୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କୁ ପରାଜୟର ସ୍ୱାଦ ଚଖାଇ ପ୍ରଥମ ଥର ଭାବେ ବିଧାନସଭାକୁ ମନୋନୀତ ହୋଇଥିଲେ। ପରେ ୧୯୮୦ ଓ ୧୯୮୫ ପରାଜିତ ହୋଇ ୧୯୯୦ରେ ତତ୍କାଳୀନ ବିଧାୟକ ଜ୍ୟୋତିଷ ଦାଶଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଲଲାଟେନ୍ଦୁ ମହାପାତ୍ର ବାଲିକୁଦା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇଁ ଅନୁକମ୍ପା ଭୋଟରେ ଜନତା ଦଳର ବିଧାୟକ ପ୍ରାର୍ଥୀ ଉମେଶ ସ୍ବାଇଁଙ୍କୁ ପରାଜିତ କରି ପ୍ରଥମ ଥର ବିଧାୟକ ହୋଇଥିଲେ। ଏହାପରେ ବିଜୁବାବୁଙ୍କ ଦେହାନ୍ତ ଉମେଶଙ୍କୁ ଗଭୀର ବ୍ୟଥିତ କରିଥିଲା |
ଘଟଣା କ୍ରମରେ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏକ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଗଠନ କରିଥିଲେ ଏବଂ ପ୍ରାରମ୍ଭରେ ଏଥିରେ ସାମିଲ ହୋଇଥିଲେ ମଧ୍ୟ ପରେ ଘଟଣା ଚକ୍ରରେ ବସନ୍ତ ବିଶ୍ବାଳଙ୍କ ସହ ଘନିଷ୍ଠତା ବଢି ଉମେଶ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୨୦୦୦ ମସିହାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପ୍ରଥମ ଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଘୁନନ୍ଦନ ଦାଶଙ୍କୁ ପରାଜିତ କରି ତୃତୀୟ ଥର ବିଧାୟକ ହୋଇଥିଲେ । ପରେ ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରଘୁନନ୍ଦନଙ୍କୁ ହରାଇ ୪ର୍ଥ ଥର ବିଧାୟକ ହୋଇଥିଲେ ।
ପରେ ୨୦୦୯ ମସିହାରେ ବାଲିକୁଦା ଓ ଏରସମା ବ୍ଲକକୁ ମିଶାଇ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଭାବେ ପରିବର୍ତ୍ତନ ହୋଇଥିଲା ଏବଂ ଏଥିରେ ବିଜେଡି ପକ୍ଷରୁ ପ୍ରଥମ ଥର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କଠାରୁ ୩୧ହଜାର ୩୮୫ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ପରେ ୨୦୧୪ ମସିହାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଓ ନିର୍ବାଚନ ନଲଢ଼ି ଦଳ ପାଇଁ ପ୍ରଚାର କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/7-17.jpg)