କରୋନା କାୟା : ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ସୋଲି ସୋରାବଜୀଙ୍କ ଦେହାନ୍ତ

183

କନକ ବ୍ୟୁରୋ : କାୟା ମେଲାଉଛି କରୋନା । କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବଜୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ଦକ୍ଷିଣ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ହୋଇଥିଲା ।

୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ସୋଲି ସୋରାବଜୀଙ୍କୁ ସୁପ୍ରିମ୍‌ କୋର୍ଟ ୧୯୭୧ ମସିହାରେ ବରିଷ୍ଠ ଆଡ୍‌ଭୋକେଟ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ କରାଇଥିଲେ । ଏହାପରେ ସେ ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ନିଯୁକ୍ତି ପାଇଥିଲେ । ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ସେ ପ୍ରଥମେ ୧୯୮୯-୯୦ ଏବଂ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ଏହା ବ୍ୟତିରେକେ, ମାନବୀୟ ଅଧିକାର ନିମନ୍ତେ ନିଷ୍ଠା ଥିବାରୁ ୧୯୯୭ରେ ସେ ନାଇଜେରିଆ ପାଇଁ ଜାତିସଂଘର ସ୍ବତନ୍ତ୍ର ‘ରାପୋ‌ର୍ଟର୍‌’ ଭାବେ ନିଯୁକ୍ତି ପାଇଥିଲେ। ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ ହଗ୍‌ସ୍ଥିତ ଜାତିସଂଘ ବିଶ୍ବ ଅଦାଲତର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ବାକ୍‌ ସ୍ବାଧୀନତା ଓ ମାନବିକ ଅଧିକାର ପ୍ରତିରକ୍ଷା ପାଇଁ କାର୍ଯ୍ୟ କରିଥିବା ସୋଲି ସୋରାବଜୀଙ୍କୁ ୨୦୦୨ ମାର୍ଚ ମାସରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।

ତାଙ୍କ ବିୟୋଗ ଖବର ପାଇ ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ଶ୍ରୀ ସୋଲି ସୋରାବଜୀ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ ଭାବେ ଦୁଇ ଥର ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କର ମାନବୀୟ ଏବଂ ସମବେଦନାଶୀଳ ଆଭିମୁଖ୍ୟ ତାଙ୍କ ଆଇନଗତ କାର୍ଯ୍ୟର ସଂଜ୍ଞା ବହନ କରେ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସୋରାବଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।