କୁଆଡେ ଗଲେ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ? ଦୁଇ ଦିନ ପରେ ବି ମିଳୁନି ପତ୍ତା…

159

କନକ ବ୍ୟୁରୋ: ନିଖୋଜ ହେବାର ଦୁଇ ଦିନ ପରେ ବି ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ପତ୍ତା ମିଳୁନି । ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଏ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ପୁଅ ସଙ୍ଗୀତ ପାଢ଼ୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ ଗୁରୁବାର ସକାଳେ ସରୋଜ ୟୁନିଟ୍ ୬ ସ୍ଥିତ ରାଧାକୃଷ୍ଣ ଏନକ୍ଲେଭ ଘରୁ ବହାରକୁ ଯାଇଥିଲେ କିନ୍ତୁ ଘରକୁ ଆଉ ଫେରିନଥିଲେ ।

ସମୟ ଗଡିବା ସହ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ଘଟଣାର ରହସ୍ୟ ବଢ଼ିଚାଲିଛି । ଭୁବନେଶ୍ୱରର ୟୁନିଟ ୬ ସ୍ଥିତ ରାଧାକୃଷ୍ଣ ଏନକ୍ଲେଭ ଆପାର୍ଟମେଣ୍ଟରେ ରହୁଥିଲେ ସରୋଜ ପାଢୀ । ଗୁରୁବାର ସକାଳ ୮ଟା ୨୦ ବେଳକୁ ଆପାର୍ଟମେଣ୍ଟରୁ ବାହାରିଥିବା ସିକ୍ୟୁରିଟି ଗାର୍ଡ କହିଛନ୍ତି । ଆପାର୍ଟମେଣ୍ଟରୁ ବାହାରକୁ ଯାଉଥିବା ସମୟର ଚିତ୍ର ଆପାର୍ଟମେଣ୍ଟ ସିସିଟିଭିରେ କଏଦ ହୋଇଛି । ତେବେ ସରୋଜ ପାଢୀ ନିଖୋଜ ହେବା ଖବର ପ୍ରଚାର ହେବା ପରେ ତାଙ୍କ ବାସଭବନ ନିକଟରେ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ନିଖୋଜ ନେଇ କୌଣସି କାରଣ ଜଣାପଡିନଥିଲା ବେଳେ ନିଖୋଜ ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ତାଙ୍କ ସମର୍ଥକ ।

ଅନ୍ୟପଟେ ସାନ ପୁଅ ସଙ୍ଗୀତ ପାଢ଼ୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି କମିସନରେଟ୍ ପୋଲିସ । କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅନୁସନ୍ଧାନ ଚଳାଇଛି । ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିବା ସହ ରେଳଷ୍ଟେସନ, ବସ ଷ୍ଟାଣ୍ଡ ଓ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରୁଛି ପୋଲିସ । ଏସବୁ ଭିତରେ ସରୋଜ ପାଢୀଙ୍କ ନିଖୋଜ ଘଟଣା ନେଇ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଛି…

  • କୁଆଡ଼େ ଚାଲିଗଲେ ସରୋଜ ପାଢୀ?
  • ପାରବାରିକ କଳହ ନା’ ରାଜନୈତିକ ଶତ୍ରୁତା!
  • ମୋବାଇଲ, ମୁଦି ଓ ସୁନା ଚେନ୍ କାହିଁକି ସାଙ୍ଗରେ ନେଲେ ନାହିଁ?

ସବୁଠୁ ବଡ଼ ସନ୍ଦେହ ସୃଷ୍ଟି କରିଛି ପରିବାର ଲୋକଙ୍କ ନୀରବତା । କେବଳ ଏତଲା ଦାୟର କରି ଚୁପ ହୋଇ ବସିଛନ୍ତି । ନିଖୋଜ ସଂପର୍କରେ କିଛି କହିବାକୁ ରାଜି ହେଉନାହାନ୍ତି ପରିବାର ଲୋକ ।