ଆରପାରିରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

130

କନକ ବ୍ୟୁରୋ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ମୃତ୍ୟୁ । ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିଶ୍ୱାଶର୍ମା ସୂଚନା ଦେଇଛନ୍ତି । ଗୋଗୋଇଙ୍କୁ ମୃତ୍ୟୁ ବେଳକୁ ୮୪ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୋଗୋଇଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଜି (ସୋମବାର) ସକାଳେ ସୂଚନା ଦେଇଥିଲେ କି ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଜୀବନ ରକ୍ଷକ ଉପକରଣରେ ରଖାଯାଇଛି । ହେଲେ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ଗଣମାଧ୍ୟମକୁ ତାଙ୍କ ମୃତ୍ୟୁ ଖବର ହିମନ୍ତା ବିଶ୍ୱାଶର୍ମା ଦେଇଛନ୍ତି ।
ତରୁଣ ଗୋଗୋଇ ୧୯୩୪ ମସିହା ୧୧ ଅକ୍ଟୋବର ଦିନ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଜାତୀୟ କଂଗ୍ରେସର ଜଣେ ଜାତୀୟ କର୍ମକର୍ତ୍ତା ଥିଲେ । ସେ ଲଗାତର ଭାବେ ଆସାମରେ ୩ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ । ଆସାମରେ ସବୁଠାରୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ଗୋଗୋଇ ହିଁ ପ୍ରଥମ ବ୍ୟକ୍ତି ଥିଲେ ।  ସେ କରୋନାରେ ପିଡୀତ ହୋଇ ୨୬ ଅଗଷ୍ଟରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେହିଦିନ ଠାରୁ ସେ ଅସୁସ୍ଥ ଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି ।