ମାଛକୁ ନେଇ ପୁଣି ଆସିଲା ଖରାପ ଖବର । ସମ୍ବଲପୁରରେ ଆନ୍ଧ୍ର ମାଛରୁ ବାହାରିଲା ବିଷାକ୍ତ ଫର୍ମାଲିନ୍

କନକ ବ୍ୟୁରୋ : ପୁଣି ଚିନ୍ତା ବଢ଼ାଇଲା ଫର୍ମାଲିନ୍ ମାଛ । ମତ୍ସ୍ୟ ସଂପଦ ବିଭାଗର ଅଭୟବାଣୀ ପରେ ଆଜି ସମ୍ବଲପୁରରୁ ଆସିଥିବା ଏକ ଖବର ଗ୍ରାହକଙ୍କ ଦ୍ୱନ୍ଦ ବଢ଼ାଇ ଦେଇଛି । ସମ୍ବଲପୁର ସହରର ତିନୋଟି ସ୍ଥାନରେ ଆଜି ଚଢ଼ାଉ କରାଯାଇଥିବା ବେଳେ ଚାରଭାଟି ଅଂଚଳରେ ୨ଟି ମାଛରେ ଫର୍ମାଲିନ୍ ମିଶିଥିବା ଜଣାପଡ଼ିଛି । ଯାହା ଉଭୟ ଗ୍ରାହକ ଓ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

publive-imageମତ୍ସ୍ୟ ସମ୍ପଦ ବିଭାଗର ଅଧିକାରୀଙ୍କ ଏହି ବୟାନ ପୁଣି ଥରେ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କାରଣ ଗୋଟିଏ ଦିନ ପୂର୍ବରୁ ସଂପୃକ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ଅଭୟବାଣୀ, ସତେ ଯେମିତି ଅର୍ଦ୍ଧସତ୍ୟ ପ୍ରମାଣିତ ହୋଇଛି । ମାଛ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ଫର୍ମାଲିନ୍ ନାହିଁ ବୋଲି ଯାହା କୁହାଯାଇଥିଲା, ସମ୍ବଲପୁରରେ ତା’ର ଓଲଟା ରିପୋର୍ଟ ଆସିଛି ।

ସମ୍ବଲପୁର ସହରର ତିନି ପ୍ରମୁଖ ବଜାର କମଲି ବଜାର, ଅଇଁଠାପାଲି ଏବଂ ଚାରଭାଟି ଅଂଚଳରେ ମତ୍ସ୍ର ସମ୍ପଦ ଏବଂ ଏସଏମସି ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ମାଛ ଦୋକାନରେ ଚଢାଉ କରାଯାଇଥିଲା । ମାଛରେ ଫର୍ମାଲିନ୍ ମିଶିଛି ନା’ ନାହିଁ, ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା କିଟ୍ ମାଧ୍ୟମରେ ପରୀକ୍ଷା କରାଯାଇଥିଲା । ଆଉ ଚାରଭାଟୀ ଅଂଚଳରୁ ଗୋଟିଏ ଲୁଣୀ ଏବଂ ଗୋଟିଏ କଲାଚି ମାଛରେ ଫର୍ମାଲିନ୍ ଥିବା ଜଣାପଡ଼ିଥିଲା ।ଯେଉଁ ଦୁଇଟି ମାଛରୁ ଫର୍ମାଲିନ୍ ବାହାରିଛି ତାହା ଆନ୍ଧ୍ରରୁ ଆସିଥିବା କୁହାଯାଉଥିବା ବେଳେ ଅନ୍ୟ ମାଛରେ ଫର୍ମାଲିନ୍ ମିଶିଛି ନା ନାହିଁ ତା’ର ଅଧିକ ଯାଂଚ୍ ପାଇଁ ନମୂନା ସଂଗ୍ରହ କରାଯାଇଛି । ଯାହାକୁ ରାଜ୍ୟ ପରୀକ୍ଷାଗାରରେ ଯାଂଚ୍ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe