ମାଛରେ ଫର୍ମାଲିନ ପ୍ରଲେପ! ଚିକେନରେ ଆଣ୍ଟିବାୟୋଟିକ୍ ଓ ହରମୋନ୍ ଇଞ୍ଜେକ୍ସନ୍!

1,129

କନକ ବ୍ୟୁରୋ: ବଜାରରେ ତାଜା ମାଛ ମିଳୁଛି ଭାବି ଯଦି ଆପଣ କିଣୁଛନ୍ତି ତାହେଲେ ଠକାମିର ଶିକାର ହୋଇପାରନ୍ତି । କାରଣ ଫର୍ମାଲିନ ଭଳି ବିଷାକ୍ତ କେମିକାଲ ବ୍ୟବହାର କରାଯାଇ ମାଛ ବିକ୍ରି କରାଯାଉଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପରିଷଦର ମିଳିତ ଚଢାଉ କରିଥିଲେ । ଏହି ସମୟରେ ଉଭୟ ମାଛ ଓ ଚିକେନରେ କ୍ଷତିକାରକ ରସାୟନିକ ପଦାର୍ଥ ମିଳିଥିବା ପ୍ରାଥମିକ ରିପୋର୍ଟରୁ ଜଣା ପଡିଛି । ଯାହା ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି ।

ମାଛ ଓ ଚିକେନର ଚାହିଦା ଦିନକୁ ଦିନ ବଢୁଥିବା ବେଳେ ଆସିଛି ଚିନ୍ତାଜନକ ଖବର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମାଛକୁ ଦୀର୍ଘ ସମୟ ଧରି ତାଜା ଓ ତାଟକା ରଖିବା ପାଇଁ ସାଂଘାତିକ ଖେଳ ଖେଳୁଛନ୍ତି ବ୍ୟବସାୟୀ । ସେହିପରି କୁକୁଡାକୁ ଖୁବ କମ ସମୟରେ ବଡ କରିବା ଲାଗି କ୍ଷତିକାରକ ଆଂଟିବାୟୋଟିକ ଓ ହରମୋନ୍ର ବ୍ୟବହାର କରାଯାଉଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପରିଷଦର ମିଳିତ ଚଢାଉ ବେଳେ ଉଭୟ ମାଛ ଓ ଚିକେନରେ କ୍ଷତିକାରକ ରସାୟନିକ ପଦାର୍ଥ ମିଶିଥିବା ଜଣାପଡିଛି ।

ବଜାରରେ ତଟକା ଓ ତାଜା ଦେଖା ଯାଉଥିବା ମାଛ ଦେଖି ଆପଣ କିଣୁଛନ୍ତି କି? ସାବଧାନ, ଆପଣ ଠକାମୀରେ ପଡିପାରନ୍ତି । ମାଛକୁ ସତେଜ ରଖିବା ଲାଗି ଆପଣ ସ୍ୱାସ୍ଥ୍ୟ ସହ ସାଂଘାତିକ ଖେଳ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ । ମାଲକାନଗିରି ପୌର ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗର ଚଢାଉ ପରେ ଏହା ସ୍ପଷ୍ଟ ହୋଇଛି । ମାଛକୁ ଦୀର୍ଘ ଦିନ ଧରି ସତେଜ ରଖିବା ଲାଗି ଫର୍ମାଲିନ୍ ପରି କ୍ଷତିକାରକ ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି । ଏଥିସହ ମାଛରେ ଆର୍ସେନିକ ଭଳି ରାସାୟନିକ ପଦାର୍ଥ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ପରୀକ୍ଷାରୁ ଜଣାପଡିଛି । ଏମ୍ଭି ୪୨ ଅଂଚଳର ଜଣେ ବ୍ୟବସାୟୀଙ୍କ ମାଛ ଜବତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଲଗାଇଛି ପୌର ପରିଷଦ । ଏହାକୁ ନେଇ ଗ୍ରାହକଙ୍କ ମନରେ ଛନକା ପଶିଛି ।

ଶବକୁ ସୁରକ୍ଷିତ ରଖିବା ପାଇଁ ଫର୍ମାଲିନ ଭଳି କେମିକାଲ୍ ବ୍ୟବହାର କରାଯାଏ । ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ ବ୍ୟବହାର କରାଯାଉଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । କେବଳ ସେତିକି ନୁହେଁ, ମାଛକୁ କମ ସମୟରେ ବଡ କରିବା ଲାଗି ମାଛ ଦେହରେ ହର୍ମୋନ କିମ୍ବା ଆଂଟିବାୟୋଟିକ ଇଂଜେକ୍ସନ ଦିଆ ଯାଉଥିବା ଜଣାପଡିଛି । ସେହିପରି ବ୍ରୟଲର କୁକୁଡାର ଓଜନ ବୃଦ୍ଧି ଲାଗି ହର୍ମୋନ କିମ୍ବା ଆଂଟିବାୟୋଟିକ୍ ଇଂଜେକ୍ସନ ଦିଆ ଯାଉଥିବା ସଂଦେହ କରାଯାଉଛି । ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଛି ପୌର ପରିଷଦ ।

ମାଲକାନଗିରି ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ୭୦ ଭାଗ ମାଛ ଓ କୁକୁଡ଼ା ଆନ୍ଧ୍ରରୁ ଆସିଥାଏ । ପୂର୍ବରୁ ମଧ୍ୟ ଆନ୍ଧ୍ର ମାଛରେ ଫର୍ମାଲିନ ମିଶୁଥିବା ଅଭିଯୋଗ ହୋଇଆସିଛି । ଏବେ ପୁଣିଥରେ ଏପଣି ଅଭିଯୋଗ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି ।