ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ନେଉଛନ୍ତି ମାଫିଆ : ସୁପ୍ରିମକୋର୍ଟ ଓ ମନ୍ଦିର ପ୍ରଶାସନର କାଗଜକୁ କରୁଛନ୍ତି ଜାଲିଆତି

ସତ ବାହାର କଲେ ସୋରୋ ତହସିଲଦାର; ପୁରୀରେ ମାମଲା

76

କନକ ବ୍ୟୁରୋ : ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ଜାଲିଆତି କରି ନିଜ ନାଁରେ କରିନେବାକୁ କେମିତି ଉଦ୍ୟମ ଚାଲିଛି ସେ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଲା ଜମି ହାତେଇବା ପାଇଁ ଏହି ଦଲାଲ ମାନେ ଶ୍ରୀମନ୍ଦିର ପ୍ରଶାସନର ନକଲି ଦସ୍ତାବିଜ ଏବଂ ସୁପ୍ରିମକୋର୍ଟର ରାୟକୁ ମଧ୍ୟ ଜାଲ କରିଛନ୍ତି । ହେଲେ ଏନେଇ ସୋର ତହସିଲଦାରଙ୍କ ସନ୍ଦେହ ବଢିବା ପରେ ଏହି କେଳେଙ୍କାରୀର ଗୁମର ଖୋଲିଛି । ଯାହାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ହୋଇଛି ।

ମିଳିଥିବା ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ସୋର ତହସିଲ ଅଧୀନରେ ମହାପ୍ରଭୁଙ୍କ ନାମରେ ରହିଥିବା କେତେକ ଜମିର ରେକର୍ଡ ସଂଶୋଧନ ପାଇଁ ୨୦୨୦ ସେପ୍ଟେମ୍ବର ୧ରେ ଚିଠି ନଂ-୧୦୫୩୨, ୨୦୨୧ ଜାନୁଆରି ୫ରେ ଚିଠି ନଂ-୧୩୬ ଓ ୨୦୨୧ ଜାନୁଆରି ୧୭ରେ ଚିଠି ନଂ-୧୫୦୦ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସୋର ତହସିଲଦାରଙ୍କୁ ଚିଠି କରାଯାଇଥିଲା । ଯାହାର ନକଲ ବାଲେଶ୍ବର ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ବି ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ସୋର ତହସିଲ ଅଧୀନ ରାଇପୁର, କମାଣପୁର, ଶିରାପୁର ଓ ବ୍ରହ୍ମପୁର ମୌଜାର ରେକର୍ଡ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମିକୁ ଦଖଲରେ ଥିବା ପ୍ରଜାଙ୍କ ନାମରେ ସ୍ଥିତିବାନ ସ୍ବତ୍ତ୍ବରେ ରେକର୍ଡ କରାଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ଓ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଏହି ସଂଶୋଧନ କରାଯାଇଛି । ଏଣୁ ମହାପ୍ରଭୁଙ୍କ ଏହି ଜମିର ଖାତା ଓ ପ୍ଲଟଗୁଡ଼ିକୁ ସଂଶୋଧନ କରି ତଫସିଲଭୁକ୍ତ ପ୍ରଜାଙ୍କ ନାମରେ ସ୍ଥିତିବାନ ସୂତ୍ରରେ ରେକର୍ଡ ସଂଶୋଧନ କରିବାକୁ ଚିଠି ମାଧ୍ୟମରେ କୁହାଯାଇଛି ।

ବାରମ୍ବାର ଏଭଳି ଚିଠି ପରେ ବି ତହସିଲ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସଂପୃକ୍ତ ଅଭିଯୁକ୍ତମାନେ ପୁଣି ଚିଠି ସହ ସୋର ତହସିଲଦାରଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ । ତାହା ସନ୍ଦେହ ବଢ଼ାଇଥିଲା । ଏଣୁ ଗତ ୧୬ ତାରିଖରେ ସୋର ତହସିଲଦାର ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ଚିଠି ସତ କି ମିଛ ଜାଣିବାକୁ ଚେଷ୍ଟା କରିଥିଲେ। ଖୋଳତାଡ଼ ପରେ ଏହି ଚିଠି ସବୁ ନକଲି ବୋଲି ଜଣାପଡ଼ିଥିଲା । ସଂପୃକ୍ତ ବ୍ୟକ୍ତିମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ୟାଡ୍‌ର ନକଲ କରି ଏଥିରେ ନକଲି ଚିଠି ନମ୍ବର ପକାଇଥିବା ଜଣାପଡ଼ିଥିଲା ।

ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅଦ୍ୟାବଧି ୯୩୬୦ଟି ଚିଠି ବିଭିନ୍ନ କାର୍ଯ୍ୟାଳୟ, ନିଯୋଗ ଓ ଅନ୍ୟମାନଙ୍କୁ କରାଯାଇଥିବାବେଳେ ୨୦୨୦ରେ ପ୍ରେରିତ ଚିଠିର ନମ୍ବର ୧୦୫୩୨ ରହିଥିଲା। ଚିଠି ସବୁ ନକଲି ବୋଲି ଜଣାପଡ଼ିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସୋର ତହସିଲଦାରଙ୍କୁ ପୁନର୍ବାର ଆଉ ଏକ ଚିଠି କରାଯାଇଛି । ଉପରୋକ୍ତ ସମସ୍ତ ଚିଠି ଓ ମାନ୍ୟବର କୋର୍ଟଙ୍କ ଆଦେଶ ମିଛ ଏବଂ ଏହାକୁ ଗ୍ରହଣ ନ କରିବାକୁ କୁହାଯାଇଛି । ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।