କନକ ବ୍ୟୁରୋ: ନିଜର କଷ୍ଟ ଅର୍ଜିତ ଧନ ସୁରକ୍ଷିତ ରଖିବା ପାଇଁ ଲୋକେ ବ୍ୟାଙ୍କରେ ଟଙ୍କା ରଖନ୍ତି । କିନ୍ତୁ ଜମାକାରି ଅଜାଣତରେ ସେମାନଙ୍କ ଆକାଉଂଟରୁ କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ କର୍ମଚାରୀ ଉଠାଇନେଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଆଳି ସିଙ୍ଗିରିର ଥିବା ଇଣ୍ଡିଆନ ବ୍ୟାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସ୍ଥାନୀୟ ବନ୍ଧସାହି ବିଲିକଣା ଗାଁର ସୁରେନ୍ଦ୍ର ନାୟକ ଏନଆରଆଇ ଭାବେ ପରିବାର ସହ ବିଦେଶ ରୁହନ୍ତି । କିନ୍ତୁ ସିଙ୍ଗିର ଶାଖାରେ ତାଙ୍କର ଦୁଇଟି ଏବଂ ତାଙ୍କ ଦୁଇ ଓ ପତ୍ନିଙ୍କ ଆକାଉଂଟ ଅଛି । ସେମାନେ ବିଦେଶରେ ରହୁଥିବାର ସୁଯୋଗ ନେଇ ତାଙ୍କ ଆକାଉଂଟରୁ ୭୦ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଛି । ବ୍ୟାଙ୍କ କର୍ମଚାରୀ ଏହି ଟଙ୍କା ଉଠାଇଥିବା ନେଇ ଆଳି ଥାନରେ ଅଭିଯୋଗ କରିଛନ୍ତି ସୁରେନ୍ଦ୍ର ।

Advertisment

ସେହିପରି ସ୍ଥାନୀୟ ରାଇସରପୁର ଗାଁର ଅଞ୍ଜନ କୁମାର ମହାଳିକ ବିଦେଶରେ ରହୁଥିବା ବେଳେ ତାଙ୍କ ପତ୍ନୀ ଶଶୀକଳାଙ୍କ ଆକାଉଂଟରୁ ୧୧ ଲକ୍ଷ ୧୫ ହଜାର ଟଙ୍କା ଉଠାଯାଇଛି । ଏଥିସହ ଅଳିହା ଗାଁର ସଦନନ୍ଦ ପୃଷ୍ଠି ତାଙ୍କ ପତ୍ନିଙ୍କ ନାମରେ ୪ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ କରିବାକୁ ଦେଇଥିବା ବେଳେ ଉକ୍ତ ଟଙ୍କା ଜମା ହୋଇନଥିବା ସେ ଅଭିଯୋଗ ଆଣିଛନ୍ତି । ଏଭଳି ଅନେକ ଲୋକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ପୁଲିସ ବ୍ୟାଙ୍କର ପିଅନଙ୍କୁ ଗିରଫ କରି ପଚରଉଚରା କରୁଛି ।