ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅନେକ ଜଙ୍ଗଲରେ ଲାଗିଛି ନିଆଁ । 

168

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକଣ୍ଠରେ ଜଳୁଛି ଜଙ୍ଗଲ । ଉପଖଣ୍ଡର ଏକାଧିକ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବନବିଭାଗ ଏହି ନିଆଁ ଲିଭାଇବାକୁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହି ନିଆଁ ଏବେ ଅଣାୟତ ହୋଇପଡିଲାଣି । କାମାକ୍ଷାନଗର ଉପକଣ୍ଠର ଦାନପଶି, ଇଚ୍ଛାବତୀପୁର, ମଠକରଗୋଳା, ବିରାଶାଳ, ସୁନାଝରି, ମହୁଲପାଳ, ମହାବିରୋଧ ରେଂଜର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଛି ।

ସେହିପରି କଙ୍କଡାହାଡ ବ୍ଲକର ଦୁର୍ଗମ ଅଂଚଳ କଣ୍ଡାର, ଏକୁଲସେକୁଲ ଆଦି ଜଙ୍ଗଲରେ ବି ନିଆଁ ଲାଗିଛି । ଗତ କିଛି ଦିନ ଧରି ଏହି ସବୁ ଜଙ୍ଗଲରେ କ୍ରମାଗତ ନିଆଁ ଲାଗି ଶହ ଶହ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଗଲାଣି । ନିଆଁର ପ୍ରକୋପ ଏତେ ରହୁଛି ଯେ ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହେଉଛି । ବନବିଭାଗ ଓ ଅଗ୍ନିଶମ ବିଭାଗ ଏହି ନିଆଁ ଲିଭାଇବାକୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।