ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଭଞ୍ଜନଗରରେ ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ

89

କନକ ବ୍ୟୁରୋ: ଭଂଜନଗର ସହର ଓ ଏହା ଆଖପାଖ ଅଂଚଳରେ ଏବେ ଧୁଆଁ ଆଉ ଧୂଆଁ । ଯଦି ହଠାତ ବାହାରୁ କେହି ଆସେ ତେବେ ବୁଝିପାରିବନାହିଁ ଏହି ଧୂଆଁ ଆସୁଛି କେଉଁଠୁ । ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ଚିନ୍ତିତ ହେବେ । ଗତ ସପ୍ତାହେ ହେବ ଭଂଜନଗର ଘୁମୁସର ଉତର ଓ ଦକ୍ଷିଣ ବନଖଣ୍ଡର ପ୍ରାୟ ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ । କେବଳ ଘୁମୁସର ଜଙ୍ଗଲରେ ଗତ ୭ ଦିନରେ ପାଖାପାଖି ଶହେରୁ ଅଧିକ ସ୍ଥାନରେ ଲାଗିଛି ନିଆଁ । ଆଉ ଜଙ୍ଗଲ ଜଳୁଛି । ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲ ସହ କନ୍ଧମାଳ ଗଂଜାମ ସୀମାରେ ଥିବା କଳିଙ୍ଗା ଘାଟିର ଅନେକ ପାହାଡ଼ରେ ଏବେ ନିଆଁ ଜଳୁଛି ।

କେବଳ ଭଞ୍ଜନଗର ନୁହେଁ ବଲାଙ୍ଗିରରେ ବି ସେଇ ଏକା ଅବସ୍ଥା । ବଲାଙ୍ଗିର ସହରର ଆଖ ପାଖରେ ଥିବା ବିଭିନ୍ନ ପାହାଡରେ ଓ ତାର ପାଦଦେଶରେ ଥିବା ଜଙ୍ଗଲରେ ପ୍ରାୟ ତିନି ଦିନ ହେବ ନିଆଁ ଲାଗିଛି । ସହରର ଚାରିପଟେ ଦେଖା ଯାଉଛି ନିଆଁ ଲାଗିଥିବା ସ୍ଥାନ । ଜଙ୍ଗଲ ଜଳୁଥିବାରୁ ଏହି ଅଂଚଳରେ ଥିବା ଜୀବଜନ୍ତୁଙ୍କ ଅବସ୍ଥା କଣ ହୋଇଥିବ ତାହା ସହଜରେ ଅନୁମାନ କରିହେବ ।