କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାର ସହର ନିକଟରେ ଜଳୁଛି ଜଙ୍ଗଲ । ହାତୀପାହାଡ, ସଦେଇପାଲି, ସୁଲିଆପାହାଡ, ପଥର ଚେପା, ମଟଖାଇ ପାହାଡ, ବିଜାଖମନ ଜଙ୍ଗଲରେ ନିଆଁ ବ୍ୟାପୁଛି । ଅନେକ ମୂଲ୍ୟବାନ ଗଛଲତା ସବୁ ଏହି ନିଆଁରେ ନଷ୍ଟ ହୋଇଗଲାଣି । ନିରୀହ ଜୀବଜନ୍ତୁଙ୍କ ପ୍ରାଣହାନି ବି ଘଟୁଛି । ବଲାଙ୍ଗିର ସହର ନିକଟରେ ଜଙ୍ଗଲରେ ନିଆଁ ଲାଗିବା ପରେ ପରେ ବଲାଙ୍ଗିର ସହରରେ ମଧ୍ୟ ତାପମାତ୍ରା ହଠାତ୍ ବଢିବାରେ ଲାଗିଛି । ବାୟୁପ୍ରଦୂଷଣ ମାତ୍ରା ମଧ୍ୟ ବଢି ଯାଇଛି । ଏହାକୁ ନେଇ ସମସ୍ୟାର ଶିକାର ହେଉଛନ୍ତି ବଲାଙ୍ଗିର ସହରବାସୀ । ଜଙ୍ଗଲ ନିଆଁକୁ କାବୁ କରିବାରେ ବନବିଭାଗ ବିଫଳ ରହିଛି ।

Advertisment

ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକଣ୍ଠରେ ଜଳୁଛି ଜଙ୍ଗଲ । ଉପଖଣ୍ଡର ଏକାଧିକ ଅଂଚଳରେ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବନବିଭାଗ ଏହି ନିଆଁ ଲିଭାଇବାକୁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହି ନିଆଁ ଏବେ ଅଣାୟତ ହୋଇପଡିଲାଣି । କାମାକ୍ଷାନଗର ଉପକଣ୍ଠର ଦାନପଶି, ଇଛାବତୀପୁର, ମଠକରଗୋଳା, ବିରାଶାଳ, ସୁନାଝରି, ମହୁଲପାଳ, ମହାବିରୋଧ ରେଂଜର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଛି । ସେହିପରି କଙ୍କଡାହାଡ ବ୍ଲକର ଦୁର୍ଗମ ଅଂଚଳ କଣ୍ଡାର, ଏକୁଲସେକୁଲ ଆଦି ଜଙ୍ଗଲରେ ବି ନିଆଁ ଲାଗିଛି । ଗତ କିଛି ଦିନ ଧରି ଏହି ସବୁ ଜଙ୍ଗଲରେ କ୍ରମାଗତ ନିଆଁ ଲାଗି ଶହ ଶହ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଗଲାଣି । ନିଆଁର ପ୍ରକୋପ ଏତେ ରହୁଛି ଯେ ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହେଉଛି । ବନବିଭାଗ ଓ ଅଗ୍ନିଶମ ବିଭାଗ ଏହି ନିଆଁ ଲିଭାଇବାକୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।