ଆନ୍ଦୋଳନରେ ବନକର୍ମଚାରୀ, ଜଙ୍ଗଲ ସୁରକ୍ଷା ଠପ୍: ବନରକ୍ଷୀ ଓ ବନପାଳଙ୍କ ହତ୍ୟା ଘଟଣାର ବଡ଼ ପ୍ରତିବାଦ

141

କନକ ବ୍ୟୁରୋ: ବନକର୍ମଚାରୀଙ୍କ ମୃତ୍ୟୁ ପରେ ତେଜୁଛି ଅସନ୍ତୋଷ । ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ । ସରକାର ଓ ବନପ୍ରଶାସନର ଅବହେଳାକୁ ପ୍ରତିବାଦ କରି ସଂଘ ଏହି ବିକ୍ଷୋଭ କରିଛି । ସେମାନଙ୍କ ଦାବି ପୂରଣ ନହେଲେ ପାଟ୍ରୋଲିଂ କରିବେ ନାହିଁ କି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ବନପାଳ ମାଥି ହାଁସଦା ଓ ବନରକ୍ଷୀ ବିମଳ ଜେନାଙ୍କ ହତ୍ୟା ଘଟଣାର ପ୍ରତିବାଦରେ ଆରମ୍ଭ ହୋଇଥିବା ଆନ୍ଦୋଳନର ପ୍ରଭାବ । ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଅଛି, ହେଲେ କର୍ମଚାରୀଙ୍କ ଦେଖା ନାହିଁ । ୫ଦଫା ଦାବି ନେଇ ଆରସିସିଏଫଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ଅଣଗେଜେଟେଡ୍ ବନସେବା ସଂଘର କର୍ମକତା ।

ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ୨ ଜଣ ବନ ଅଧିକାରୀଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ଓ ବନ ବିଭାଗର ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା ଦାବି ପୂରଣ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦିଆଯାଇଛି । ସେହିପରି କୌଣସି କର୍ମଚାରୀ ଜଙ୍ଗଲ ଦାୟିତ୍ୱରେ ରହିବେନି । ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂ କରିବେ ନାହିଁ । ବନ୍ୟଜନ୍ତୁଙ୍କୁ ନେଇ କୌଣସି ସୁରକ୍ଷା ଦାୟିତ୍ୱ ନେବେ ନାହିଁ ବୋଲି ବି ଚେତାବନୀ ଦେଇଛନ୍ତି ।

ଏପଟେ ୱାଇଲ୍ଡ ଲାଇଫ ପିସିସିଏଫ୍ କହିଛନ୍ତି- ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଛି । ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଏବଂ ଷ୍ଟ୍ରାଇକିଂ ଫୋର୍ସ ପାଇଁ ବିଚାରବିମର୍ଷ ଚାଲିଛି । ତେଣୁ ପାଟ୍ରୋଲିଂ ନକରିବା ନିଷ୍ପତିରୁ ଓହରି ଆସିବାକୁ ସେ ଅନୁରୋଧ କରିଛନ୍ତି । ଏପଟେ ବନକର୍ମଚାରୀଙ୍କ ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନେବି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ୱେଲଫେୟାର ଫଣ୍ଡ, ସର୍କଲ ରିଅର୍ଗାନାଇଜେସନ୍ ଏବଂ ରେଞ୍ଜ ସେକ୍ସନ,୍ ବିଟ୍ ରିଜନ୍ ଗଠନ ସହ ତେଲେଙ୍ଗାନା ସରକାର ଭଳି ଏକ୍ସ ଗ୍ରାସିଆ ସହାୟତା ଦେବାକୁ ଦାବି କରୁଛନ୍ତି ବନକର୍ମଚାରୀ । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛି ସଂଘ ।