ଶିକାରୀ ଗୁଳିରେ ୨ ଫରେଷ୍ଟରଙ୍କ ମୃତ୍ୟୁ ପରେ ତେଜୁଛି ଅସନ୍ତୋଷ : ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ

331

କନକ ବ୍ୟୁରୋ : ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଓ ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ଅଣଗେଜେଟେଡ୍ ବନସେବା ସଂଘ । ୨୦୦୯ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ, ୱେଲଫେୟାର ଫଣ୍ଡ ଗଠନ, ସର୍କଲ ରିଅର୍ଗାନାଇଜେସନ ଗଠନ, ରେଞ୍ଜ ସେକ୍ସନ, ବିଟ୍ ରିଜନ ଗଠନ, ତେଲେଙ୍ଗାନା ସରକାର ଭଳି ଏକ୍ସ ଗ୍ରାସିଆ ପ୍ରଦାନ କରିବାକୁ ଦାବି ରଖିଛନ୍ତି ବନ କର୍ମଚାରୀ ।

ସଂଘ ତରଫରୁ କୁହାଯାଇଛି ଯେ, ଯଦି ସେମାନଙ୍କର ୫ଟି ଦାବି ପୂରଣ ନହେବ, ସେମାନେ ସାମୂହିକ ଛୁଟିରେ ଯିବେ ଓ ଆନ୍ଦୋଳନକୁ ଓହ୍ଲାଇବେ । ଏଥିସହ ବନକର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନଦେଲେ ସେମାନେ ଜଙ୍ଗଲ ଜଗିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜିଠାରୁ ଜୁଲାଇ ୮ ତାରିଖ ଯାଏଁ ସଂଘ ରାଜ୍ୟବ୍ୟାପୀ ପ୍ରତିବାଦ କରିବ । ବନ କର୍ମଚାରୀ ମାଟି ହାଁସଦା ଓ ବନରକ୍ଷୀ ବିମଳ ଜେନା ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ କେନ୍ଦ୍ର ସରକାର କାମ୍ପା ଫଣ୍ଡରେ ଯଥେଷ୍ଟ ଅର୍ଥ ରାଜ୍ୟ ପାଉଥିବା ବେଳେ ତାହା ଜଙ୍ଗଲ ସୁରକ୍ଷାରେ କାହିଁକି ଖର୍ଚ୍ଚ ହେଉନାହିଁ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।

ଅନ୍ୟ ରାଜ୍ୟରେ ଶିକାରୀଙ୍କୁ ଦେଖିଲେ ସୁଧି ଗୁଳି କରିବାର ନିର୍ଦ୍ଦେଶ ଥିଲାବେଳେ ଏଠାରେ ଏମିତ ନିୟମ କାର୍ଯ୍ୟକାରୀ ହେଉନାହିଁ କିମ୍ବା ବନସୁରକ୍ଷା କର୍ମଚାରୀଙ୍କୁ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ବନକର୍ମଚାରୀ ଶିକାରୀଙ୍କୁ ଅଟକାଇବାରେ ସଫଳ ହେଉନାହାନ୍ତି, ତେବେ ରାଜ୍ୟରେ ଥିବା ସଶସ୍ତ୍ରବାହିନୀକୁ କାହିଁକି ବ୍ୟବହାର କରାଯାଉନି ବୋଲି ପ୍ରଶ୍ନ ଉଠୁଛି ।