କନକ ବ୍ୟୁରୋ: ରୋଜଗାର ଦେଉଛି ବନଜାତ ଦ୍ରବ୍ୟ । ତେନ୍ତୁଳି କେକ୍ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । ଦିନ ଥିଲା ମହିଳାମାନେ ଘର ଚାରିକାନ୍ଥ ଭିତରେ ରହି ପରିବାର କଥା ବୁଝୁଥିଲେ । ଏବେ ସମୟ ବଦଳିଛି ମହିଳାମାନେ ନିଜେ ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହାଦ୍ୱାରା ସେମାନଙ୍କ ସାମାଜିକ ଚାଲିଚଳଣି ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିଛି । ଏଭଳି କିଛି ଖବର ରାୟଗଡ଼ ରାମାନାଗୁଡ଼ା ବ୍ଲକରୁ ଆସିଛି । ମହିଳା ମାନେ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ପ୍ରକ୍ରିୟାକରଣ କରି ବିକ୍ରି କରୁଛନ୍ତି । ସ୍ଥାନୀୟ ପଂଚାୟତର ପାଖାପାଖି ୩୦୦ରୁ ଉଦ୍ଧ୍ୱର୍ ମହିଳା ଏହି କାମରେ ନିୟୋଜିତ ଅଛନ୍ତି । ଆଖପାଖ ଅଂଚଳରୁ ପ୍ରଥମେ ତେନ୍ତୁଳି ସଂଗ୍ରହ କରି ନିଜ ନିଜ ମଧ୍ୟ ଦାୟିତ୍ୱ ବାଂଟି ତେନ୍ତୁଳିକୁ ମାନୁଆଲ ମେସିନରେ ପ୍ରୋସେସିଂ କରି ସେଥିରୁ ତେନ୍ତୁଳି କେକ୍ ପ୍ରସ୍ତୁତ କରନ୍ତି ଏସଏଚଜି ମହିଳା ।

Advertisment

ଖାଲି ଏତିକି ନୁହେଁ ଗ୍ରୁପର ସଦସ୍ୟ ମାନେ ତେନ୍ତୁଳି କେକ୍ ସହିତ ହଳଦୀ ଗୁଣ୍ଡ, ମାଣ୍ଡିଆ ଚୁନା ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ନିକଟସ୍ଥ ବଜାର ଓ ବ୍ୟବସାୟୀଙ୍କୁ ବିକ୍ରି କରି ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ରାୟଗଡ଼ା ଜିଲ୍ଲାର ରାମାନାଗୁଡ଼ା ଅଞ୍ଚଳରେ ପ୍ରଚୁର ପରିମାଣର ତେନ୍ତୁଳି ଉତ୍ପାଦନ ହୋଇଥାଏ । ଏହାର ଉଚିତ୍ ମୂଲ୍ୟ ପଇବା ପାଇଁ ମହିଳା ମାନଙ୍କୁ ମାନୁଆଲ ମେସିନ୍ ଯୋଗାଇଦିଆଯିବା ସହିତ ତେନ୍ତୁଳି ମଞ୍ଜି ଛଢାଇବା, ଗ୍ରୀଡ଼ିଂ କରିବା ଓ ବ୍ୟବସାୟୀକରଣ ପାଇଁ ତାଲିମ ପ୍ରଦାନ କରାଯାଇଛି । ଦୀର୍ଘ ୫ ବର୍ଷ ହେଲା ତେନ୍ତୁଳି ଓ ଅନ୍ୟ ବନଜାତ ଦ୍ରବ୍ୟ ପ୍ରକ୍ରିୟାକରଣ କରି ବିକ୍ରି କରିବା ଦ୍ୱାରା ଆଭାବି ବିକ୍ରି ସମସ୍ୟା ଦୂର ହୋଇପାରିଛି । ମହିଳାଙ୍କୁ ଏହି କାମରେ ସହଯୋଗର ହାତବଢ଼ାଇଛି ଶକ୍ତି ଅନୁଷ୍ଠାନ ଓ ବନ ଧନ ବିକାଶ କେନ୍ଦ୍ର । ନାରୀ ସଶକ୍ତିକରଣ କ୍ଷେତ୍ରରେ ଦୁର୍ଗମ ଅଂଚଳର ମହିଳାଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କ ଉଦାହରଣ ପାଲଟିଛି ।