ବନ ଅଧିକାରୀଙ୍କ ପ୍ରୟାସରେ ସବୁଜମୟ ହୋଇଛି ବାରୁଣାବନ୍ତ ପାହାଡ । ପ୍ରବାସୀ ଶ୍ରମିକଙ୍କ କାମ ଦେଇ ହସ ଫୁଟାଇଲେ ବନ ଅଧିକାରୀ ।

56

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସବୁଜମୟ ହୋଇପାରିଛି ବାରୁଣାବନ୍ତ ପାହାଡ । ସବୁଜ ବଳୟ ସୃଷ୍ଟି ହେବା ସହ କରୋନା କଟକଣା ସମୟରୁ ସ୍ଥାନୀୟ ଓ ପ୍ରବାସୀ ଶ୍ରମିକକୁ କାମ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ବନ ଅଧିକାରୀ । ଜାତୀୟ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବର୍ଷକରେ ସୃଷ୍ଟି ହୋଇଛି ଏକ ଲକ୍ଷ କାର୍ଯ୍ୟ ଦିବସ ।

ଚଣ୍ଡିଖୋଲ ଡାଳିଯୋଡା ଫରେଷ୍ଟ ରେଂଜ ଅନ୍ତର୍ଗତ ବାରୁଣାବନ୍ତ ପାହାଡର ପାଦଦେଶରେ ସୃଷ୍ଟି ହୋଇଛି ସବୁଜ ବଳୟ । ପ୍ରାୟ ୨ ଏକର ଟାଙ୍ଗରା ଜଙ୍ଗଲ ଜମିରେ ଏବେ ହସୁଛି ବିଭିନ୍ନ ପ୍ରକାରର ଫଳନ୍ତି ଗଛ । ସ୍ଥାନୀୟ ଓ ପ୍ରବାସୀ ଶ୍ରମିକଙ୍କ ଶ୍ରମରେ ଆମ୍ବ, ବେଲ, ନିମ୍ବ, ପେସ୍ତାବାଦାମ, ଶିଶୁ, ଶାଗୁଆନ ଗଛ ଲାଗିଛି । ଶ୍ରମିକଙ୍କ ହାତକୁ କାମ ଯୋଗାଇ ଏ ସବୁଜ ବଳୟ ତିଆରି କରିବାରେ ସକ୍ଷମ ହୋଇଛନ୍ତି ଚଣ୍ଡିଖୋଲ ଜଙ୍ଗଲ ବିଭାଗ ବନପାଳ ଶଶୀକାନ୍ତ ବେହେରା । ଏଥିପାଇଁ ତାଙ୍କୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶ୍ରେଷ୍ଠ ବନପାଳ ଭାବେ ସମ୍ମାନିତ କରାଯାଇଛି ।

କରୋନା ଯୋଗୁଁ ଶ୍ରମିକମାନେ କାମ ଧନ୍ଧା ପାଉନଥିବା ବେଳେ ଚଣ୍ଡିଖୋଲ ଜଙ୍ଗଲ ବିଭାଗ ଚାରା ଉଦ୍ୟାନ ପକ୍ଷରୁ ଶ୍ରମିକଙ୍କୁ ଶ୍ରମ ଭିତିକ କାମ ଯୋଗାଇ ଦିଆଯାଇଛି । ଗୋଟିଏ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ୧ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏଠାରୁ ଉତ୍ପାଦିତ ଚାରାକୁ ନେଇ ଆଗାମୀ ଦିନରେ ବାରୁଣାବନ୍ତ ପାହାଡକୁ ଅଧିକ ସବୁଜ ସୁନ୍ଦର କରିବାର ଯୋଜନା ରହିଛି । ରାଜ୍ୟ ସରକାର ଜଙ୍ଗଲର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଚଣ୍ଡିଖୋଲ ବନପାଳଙ୍କ ସବୁଜବଳୟ ସୃଷ୍ଟି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି ।