ବିଧାନସଭାରେ ବାଘ ମିଛ ! ୩ବର୍ଷରେ ଶିକାରୀଙ୍କ ହାତରେ ଯାଇନି ବାଘଙ୍କ ଜୀବନ, କେଉଁଠୁ ଆସିଲା ଚିତା ?

୨୦୧୪ରେ ଏନଟିସିଏ ତରଫରୁ ହୋଇଥିବା ବ୍ୟାଘ୍ର‌ ଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ୨୮ଟି ବାଘ ଅଛନ୍ତି । କିନ୍ତୁ ଏହାକୁ ରାଜ୍ୟ ସରକାର ଏବଂ କହିଥିଲେ ମୋଟ୍ ୪୦ଟି ବାଘ ରାଜ୍ୟରେ ଅଛନ୍ତି ।

127

କନକ ବ୍ୟୁରୋ: ମୁଣ୍ଡବ୍ୟଥା କଲା ମନ୍ତ୍ରୀଙ୍କ ଉତ୍ତର! ଗତ ୩ ବର୍ଷରେ ରାଜ୍ୟରେ କୌଣସି ବାଘର ହତ୍ୟା ହୋଇନାହିଁ । ଅର୍ଥାତ୍ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିକାରୀଙ୍କ ଦ୍ୱାରା କୌଣସି ବି ବାଘର ମୃତ୍ୟୁ ହୋଇନଥିବା ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏପରିକି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୁପକ୍ଷଙ୍କ କହିବା ମୁତାବକ, ଓଡ଼ିଶାରେ ଆଦୌ ଚିତାବାଘ ନଥିବାବେଳେ ଗୃହରେ ମନ୍ତ୍ରୀ କହିଛନ୍ତି କି, ଗତ ୩ ବର୍ଷରେ ମୋଟ୍ ୬ଟି ଚିତାବାଘଙ୍କ ଜୀବନ ଶିକାରୀଙ୍କ ଦ୍ୱାରା ଯାଇଛି ।

ଅନ୍ୟପଟେ ମନ୍ତ୍ରୀଙ୍କ ଏହି ଉତ୍ତର ଏବେ ବିଧାନସଭାରୁ ବିଭିନ୍ନ ମହଲକୁ ତାଜୁବ୍ କରିଛି । କାରଣ ଗତ ବର୍ଷ ଅକ୍ଟୋବର ୨୯ ତାରିଖରେ ଦେବ୍ରୀଗଡ଼ ଅଭୟାରଣ୍ୟରୁ ଏକ ମହାବଳ ବାଘର ଗଳିତ ମୃତ ଦେହ ଉଦ୍ଧାର ହୋଇଥିଲା । ଏପରିକି ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିବା ସହ ୪ଜଣଙ୍କୁ ଗିରଫ କରାଯାଇଥିଲା । ଆଉ ସେହି ବାଘ ମୃତ୍ୟୁ ରାଜ୍ୟରେ ତୁମ୍ଭି ତୋଫାନ ଉଠାଇଥିଲା । କେତେବେଳେ କଲରାପତରିଆ ତ କେତେବେଳେ ମହାବଳ ବାଘର ମୃତ୍ୟୁ ହୋଇଥିବା ବୟାନବାଜି ଲାଗି ରହିଥିଲା । ପରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବୟାନ ରଖିଥିଲେ କି ଏହା ଏକ ମହାବଳ ବାଘର ଗଳିତ ମୃତ ଦେହ ଥିଲା । ତେବେ ଗିରଫ ହୋଇଥିବା ୪ଜଣ ମଧ୍ୟ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ ।

ସେହିଭଳି ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ସୁନ୍ଦରୀ ବାଘୁଣୀ ପାଇଁ ଅଣାଯାଇଥିବା ମହାବୀର ବାଘର ରହସ୍ୟମୟ ମୃତ୍ୟୁ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ସାତକୋଶିଆ ଅଭୟାରଣ୍ୟରେ ହୋଇଥିଲା । ତେବେ ‘ମହାବୀର’ର ରହସ୍ୟମୟ ମୃତ୍ୟୁକୁ ନେଇ ଜଙ୍ଗଲ ବିଭାଗ ଉପରକୁ ବିଭିନ୍ନ ମହଲରୁ ଅଙ୍ଗୁଳି ଉଠିଲା । ଆଉ ଶେଷର ଜାତୀୟ ବ୍ୟାଘ୍ର‌ ସଂରକ୍ଷଣ କର୍ତ୍ତୁପକ୍ଷ (ଏନଟିସିଏ)ର ଦୁଇ ଜଣିଆ ଟିମ୍ ଛାନଭିନ୍ କରିଥିଲେ । ମହାବୀରର ରହସ୍ୟମୟ ମୃତ୍ୟୁ ଉପରୁ ପରଦା ଉଠାଇଥିଲେ । ଆଉ ‘ଫାଶି ଜାଲ’ ଦ୍ୱାରା ମହାବୀରର ମୃତ୍ୟୁ ହୋଇଥିବା କହିଥିଲେ ଏନଟିସିଏ ଟିମ୍ ।

ଏସବୁ ଭିତରେ ଦୁଇ ଦୁଇଟି ବାଘର ମୃତ୍ୟୁ ହୋଇବାବେଳେ ଗୃହରେ ମନ୍ତ୍ରୀଙ୍କ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି । ସେହିପରି ୨୦୧୪ରେ ଏନଟିସିଏ ତରଫରୁ ହୋଇଥିବା ବ୍ୟାଘ୍ର‌୍ୟ ଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ୨୮ଟି ବାଘ ଅଛନ୍ତି । କିନ୍ତୁ ଏହାକୁ ରାଜ୍ୟ ସରକାର ସ୍ୱୀକାର କରିନଥିଲେ ଏବଂ ୨୦୧୬ରେ ପୁନଃ ଗଣନା କରି ରାଜ୍ୟରେ ୪୦ଟି ବାଘ ଥିବା କହିଥିଲେ । ଏହାପରେ ବାଘ ଗଣନାରେ ସାମିଲ ହୋଇନଥିବା ଦେବ୍ରୀଗଡ଼ ଅଭୟାରଣ୍ୟ, ସୁନ୍ଦରଗଡ଼ର ହେମଗିରି ବନାଞ୍ଚଳ ଓ ରାୟଗଡ଼ାର ମୁନିଗୁଡ଼ା ମହାବଳ ବାଘ ଦେଖାଯାଇଥିବା କହିଥିଲେ । ଏନେଇ ସିସିଟିଭିରେ ଏହି ବାଘର ଫଟୋ ମଧ୍ୟ ଉପସ୍ଥାପନା କରିଥିଲେ ।

ଏହାରି ଭିତରେ ତତକାଳୀନ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରାଜ୍ୟରେ ବାଘ ସଂଖ୍ୟା ୮୦ ପାଖାପାଖି ଥିବା ଦାବି କରିଥିଲେ । ହେଲେ ୨୦୧୮ରେ ହୋଇଥିବା (ଏନଟିସିଏ) ବ୍ୟାଘ୍ର‌୍ୟ ଗଣନାରୁ ଜଣାପଡ଼ିଥିଲା ଓଡ଼ିଶରେ ମୋଟ୍ ୨୮ଟି ବାଘ ରହିଛନ୍ତି । ଆଉ ୨୦୧୪ ଭଳି ଏଳା ୨୦୧୮ରେ ମଧ୍ୟ ଏହି ସଂଖ୍ୟା ସ୍ଥିର ରହିଛି । ହେଲେ ଏହାକୁ ରାଜ୍ୟ ସରକାର କୌଣସି ଆପତ୍ତି ଉଠାଇ ନାହାନ୍ତି । ଆଉ ବର୍ତ୍ତମାନ ରାଜ୍ୟରେ ପ୍ରକୃତରେ ମୋଟ୍ କେତେ ବାଘ ସଂଖ୍ୟା ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଅନ୍ୟପଟେ ବିଧାନସଭାରେ ଜଙ୍ଗଲ ମନ୍ତ୍ରୀଙ୍କ ଉତ୍ତର ପରେ ବିଭିନ୍ନ ମହଲରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କ’ଣ ମନ୍ତ୍ରୀଙ୍କ ବାଘ ସଂଖ୍ୟା କେତେ ତଥ୍ୟ ନାହିଁ? କି କେତେ ବାଘର ଶିକାରୀଙ୍କ ହାତରେ ଜୀବନ ଯାଇଛି? ନା ମନ୍ତ୍ରୀ ଏହି ତଥ୍ୟ ଜନତାଙ୍କୁ ଲୁଚାଇବାକୁ ଚାହୁଁଛନ୍ତି? ଏଭଳି କିଛି ପ୍ରଶ୍ନ ଏବେ ବିଧାନସଭାରୁ ବିଭିନ୍ନ ମହଲରେ ଆଲୋଡ଼ନ ଖେଳାଇଛି ।