କ୍ୟାମେରାରେ କଏଦ ହୋଇଥିଲା କ’ଣ? କାହିଁକି ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ହେଲା ଆକ୍ରମଣ? ପେଣ୍ଠକଟା ଥାନାକୁ ଗଲା ଫରେଷ୍ଟ ଗାର୍ଡଙ୍କ ଦାଦାଗିରି ମାମଲା । କାହିଁକି ଗିରଫ ହେବେନି ଆକ୍ରମଣ କରିଥିବା ଫରେଷ୍ଟର?

1,368

କନକ ବ୍ୟୁରୋ: ଫରେଷ୍ଟଗାର୍ଡଙ୍କ ଦବଙ୍ଗଗିରି । ବାଲୁଖଣ୍ଡ ଅଭୟାରଣ୍ୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କ୍ୟାମେରାମ୍ୟାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ତେବେ ଏହି ଘଟଣା ସାମନାକୁ ଆସିବା ପରେ ରେଂଜର କ୍ଷମା ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ମାଡ ମାରିଥିବା ଦୁଇ ବନ ଅଧିକାରୀଙ୍କ ବିରୋଧରେ ପେଣ୍ଠକଟା ମେରାଇନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି ।

ଖବର ସଂଗ୍ରହ ପାଇଁ ଯାଇଥିବା ଜି-କଳିଙ୍ଗର କ୍ୟାମେରାମ୍ୟାନ ଚିତରଂଜନ ଖୁଂଟିଆଙ୍କୁ କିପରି ଆକ୍ରମଣ କରୁଛନ୍ତି ଫରେଷ୍ଟ ଗାର୍ଡ । କନକ ନ୍ୟୁଜର ପୁରୀ ପ୍ରତିନିଧି ସିମାଂଚଳ ପାଢୀ ତାଙ୍କୁ ବଂଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଉପରେ କିପରି ହୋଇଛି ଆକ୍ରମଣ । ଏ ଦୃଶ୍ୟ ହେଉଛି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର । ଜଣେ ଫରେଷ୍ଟ ଗାର୍ଡ ଏବଂ ଜଣେ ଫରେଷ୍ଟର ଆସୁଛନ୍ତି ଆଉ ଅଚାନକ ଆକ୍ରମଣ କରୁଛନ୍ତି । ପ୍ରତିରୋଧ କରିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ।

ବାତ୍ୟା ଫୋନିକୁ ଗୋଟିଏ ବର୍ଷ ପୁରୁଥିବାରୁ ବାଲୁଖଣ୍ଡ ଅଭୟାରଣ୍ୟର ସ୍ଥିତି ପରଖିବାକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି । ଏ ସଂକ୍ରାନ୍ତରେ ଆବଶ୍ୟକୀୟ ଅନୁମତି ନେବାକୁ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଫୋନ କରାଯାଇଥିଲା । ତଥାପି ଜଣେ ଫରେଷ୍ଟଗାର୍ଡ ନିଜ ପଦର ଅପବ୍ୟବହାର କରି ଗଣମାଧ୍ୟମର କର୍ମଚାରୀଙ୍କୁ ନାଲିଆଖି ଦେଖାଇବାକୁ ପଛାଇନଥିଲେ ।

ବାଲୁଖଣ୍ଡ ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ଥିବା କଟେଜରେ କିପରି ଥୁଆ ହୋଇଛି ମଦ ବୋତଲ । ପ୍ରଶ୍ନ ଉଠୁଛି ଏଠାରେ କିଏ ରଖିଲା ଏହି ମଦବୋତଲ । ଗଣମାଧ୍ୟମ ପ୍ରତିନିଧି ଏହି ଚିତ୍ର ଉତୋଳନ କରି ଫେରିବା ବେଳେ ଫରେଷ୍ଟଗାର୍ଡ ବିରଜା ମହାପାତ୍ର ଏବଂ ଫରେଷ୍ଟର ତପନ ନାୟକ ହଠାତ ଉତକ୍ଷିପ୍ତ ହୋଇ ସାମ୍ବାଦିକମାନଙ୍କ ଉପରେ କରିଥିଲେ ଆକ୍ରମଣ ।

ସନ୍ଦେହ କରାଯାଉଛି ଏହି ବନ କର୍ମଚାରୀମାନେ କଟେଜରେ ବୋଧହୁଏ ମଦ୍ୟପାନ କରୁଥିଲେ । ଆଉ କ୍ୟାମେରାରେ ମଦବୋତଲର ଚିତ୍ର କଏଦ ହୋଇଥିବାରୁ ସେମାନେ ରାଗିଯାଇ ଏପରି ଆକ୍ରମଣ କରିଛନ୍ତି । ତେବେ ଏପରି ଘଟଣାକୁ କିଛି ଫରେଷ୍ଟର ନିନ୍ଦା ମଧ୍ୟ କରିଛନ୍ତି । ରାଜ୍ୟରେ କରୋନା ଯୋଦ୍ଧା ହିସାବରେ ସାମ୍ବାଦିକଙ୍କୁ ସରକାର ସ୍ୱିକୃତି ପ୍ରଦାନ କରୁଥିଲେ ମଧ୍ୟ କିଛି ସରକାରୀ କର୍ମଚାରୀଙ୍କ ମନରେ କ୍ଷମତାର ପାରା କିଛି ଏଭଳି ଚଢିଛି ଯେ କାହାପ୍ରତି କିପରି ବ୍ୟବହାର କରାଯିବ, ସେନେଇ ହିତାହିତ ଜ୍ଞାନ ବି ଭୁଲିଯାଉଛନ୍ତି ।