କନକ ବ୍ୟୁରୋ: ଖରା ବଢୁଛି, ଜଙ୍ଗଲ ଜଳୁଛି । ଦିନକୁ ଦିନ ହୁତୁହୁତୁ ହୋଇ ଜଳିଚାଲିଛି ଜଙ୍ଗଲ । ନିଆଁର ଆଁ ଭିତରେ ଛାରଖାର ହେଉଛି ସବୁଜିମା ଅରଣ୍ୟ । ଜଙ୍ଗଲ ଜଳିବା ଫଳରେ ଗଛ, ଲତା, ପଶୁ ପକ୍ଷୀ, ଜୀବଜନ୍ତୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ପ୍ରବଳ ଖରାକୁ ବଣ ଭିତରର ଆକସ୍ମିକ ଅଗ୍ନିକାଣ୍ଡ ବଞ୍ଚିବାର ସବୁ ବାଟ ବନ୍ଦ କରିଦେଉଛି । ଯାହା ଫଳରେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀଜନ୍ତୁ । ହିଂସ୍ର ଜନ୍ତୁ ହୁଅନ୍ତୁ କି ହରିଣ ପରି ଜନ୍ତୁ ସମସ୍ତେ ନିଜ ଜୀବନ ବିକଳରେ ଗାଁ ମୁହାଁ ହେଉଛନ୍ତି । ଆଉ ଏହି ଆଳରେ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରିବାକୁ ପଛାଉ ନାହାନ୍ତି ଲୋକେ । ଯାହାର ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି ।

Advertisment

ହେଲେ ତଥାପି ସଚେତନ ହେଉନି ମଣିଷ କି ଜଙ୍ଗଲର ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରୁନି । ଜଙ୍ଗଲ ଜଳି ସଫା ହେଉଛି । ହେକ୍ଟର ହେକ୍ଟର ଜମିର ଜଙ୍ଗଲ ଜଳି ପୋଡି ପାଉଁଶ ହେଉଛି । ମାଟିର ଛାତି ଉପରେ ଅଧାପୋଡା ହୋଇ ତ୍ରାହି ତ୍ରାହି ଡାକୁଛନ୍ତି ବୃକ୍ଷମାନେ । ନା ନିଆଁର ଆଁରୁ ବଞ୍ଚି ପାରୁଛନ୍ତି ନା ଜଳିପୋଡି ଛାରଖାର ହେବାର ଯନ୍ତ୍ରଣାରୁ ବର୍ତ୍ତି ପାରୁଛି ବଣ । ସେମିତି ସ୍ୱାହା ହେବା ଯାଏ ମଣିଷ ଦେଇଥିବା ଶାସ୍ତି ସହିଯାଉଛି । କେତେ ନିଷ୍ଠୁର ହୋଇପାରେ ମଣିଷ ତାହା ସେ ଦେଖୁଛି ।

ଏ ଦୃଶ୍ୟ ହେଉଛି ସୋର ଦେବଗିରି ପାହାଡର । ଯେଉଁଠି ସଞ୍ଜ ନଇଁଲେ ଜଙ୍ଗଲ ଜଳୁଥିବାର ଦୃଶ୍ୟ ଦେଖାଯାଉଛି । ପାହାଡରେ ଭୟଙ୍କର ନିଆଁ ଲାଗି ଗଛଲତା ପୋଡିଯାଉଥିବା ବେଳେ ଏଯାଏଁ କେହି ନିଆଁ ଲିଭାଇବାକୁ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଔପଦା ରେଞ୍ଜର ଖୁଣ୍ଟାପାଟଣା ବିଟ ହାଉସର ମାତ୍ର ୫୦୦ ମିଟର ଦୂରରେ ଥିବା ଏକର ଏକର ଜଙ୍ଗଲ ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ କିଏ ନିଆଁ ଲଗାଉଛି ? କେମିତି ଜଙ୍ଗଲ ଜଳୁଛି ? ନିଆଁ ଲିଭାଇବାକୁ କାହିଁକି ଯାଉନାହାନ୍ତି ଅଧିକାରୀମାନେ ? ନିଆଁ ବାବଦରେ କିଛି ଖବର ରଖିଛନ୍ତି କି ନାହିଁ ଜଙ୍ଗଲ ବିଭାଗର ଅଧିକାରୀମାନେ? ଏସବୁ ପ୍ରଶ୍ନ ଏବେ ପଚାରୁଛନ୍ତି ଲୋକେ ।

ତେବେ ଜଙ୍ଗଲ ଜଳିବାର ଖବର ନୂଆ ନୁହେଁ ପ୍ରତିବର୍ଷ ଖରାଦିନ ଆସିଲେ ଜଙ୍ଗଲ ଜଳେ । କିଛି ଜଙ୍ଗଲ ମନୁଷ୍ୟକୃତ, କିଛି ନିଆଁର କାରଣ ଜଣାପଡେନି । କିନ୍ତୁ ଜଙ୍ଗଲ ସେମିତି ଜଳୁଥାଏ । ହେଲେ ଏ ଜଙ୍ଗଲୀ ନିଆଁ ଆଉ କେତେ ଦିନ ? କେତେ ଜଙ୍ଗଲ ଜଳିଲେ, କେତେ ବଣ ବିନାଶ ହେଲେ ଆଉ ଚେତିବ ମଣିଷ? ଅନ୍ତତ ନିଜ ପାଇଁ ଏ ପୃଥିବୀ ପାଇଁ ଆସନ୍ତୁ ଜଙ୍ଗଲକୁ ସୁରକ୍ଷା ଦେବା । ଜଳୁଥିବା ଜଙ୍ଗଲକୁ ଲିଭାଇବା । ଆଉ ଡେରି କାହିଁକି ଆପଣଙ୍କ ଉଦ୍ୟମ ହିଁ ପୁନଶ୍ଚ ପୃଥିବୀର ମହତ ଉଦ୍ଦେଶ୍ୟକୁ ସଫଳ କରାଇବ ।