କନକ ବ୍ୟୁରୋ: ୨ହଜାର ୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି । ରାଜ କୁମାରୀ ଅକ୍ଷୀତା ମଂଜରୀ ଭଂଜଦେଓ ଟ୍ୱିଟ୍ କରି କହିଛନ୍ତି, ଶିମିଳିପାଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ପାଇଁ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇବା ପାଇଁ, କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।
ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏତେ ବଡ଼ ଅଂଚଳରେ ନିଆଁ ଲାଗିଛି ଯେ, ଏହାକୁ କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ ହୋଇ ସାରିଲାଣି ।
ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲ ସମେତ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଆଦି ରେଞ୍ଜରେ ମାଡିଚାଲିଛି ନିଆଁ । ଯାହାଫଳରେ ଜଙ୍ଗଲ ଆଖପାଖ ଅଂଚଳରେ ଥିବା ଗାଁ ଗୁଡିକ ଏବେ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । ନିଆଁ ଲାଗିବା କାରଣରୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ଆସି ଏହି ଜଙ୍ଗଲରେ ବସବାସ କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି ।
ଏପଟେ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ମୟୂରଭଞ୍ଜ ରାଜ ପରିବାର । ଅକ୍ଷୀତା ମାଞ୍ଜରୀ ଭଞ୍ଜଦେଓ ଟ୍ୟୁଇଟ୍ କରି ଲେଖିଛନ୍ତି- ଶିମିଳିପାଳର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇବା ପାଇଁ ଏହା ଏକ ଚକ୍ରାନ୍ତ । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି । ବଡ଼ କଥା ହେଉଛି ନିଆଁ ଧିରେ ଧିରେ ଶିମିଳିପାଳ ଅଭୟାରଣ୍ୟ ଦିଗରେ ମାଡି ଚାଲିଥିବାରୁ ନିଆଁକୁ ଆୟତ କରିବା ବର୍ତମାନ ସମୟରେ ବନବିଭାଗ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।