ଆଇନ ବୁଝିଲାନି ସ୍ନେହ, ମମତା ! ମଣିଷ-ପକ୍ଷୀ ସମ୍ପର୍କରେ ସାଜିଲା ବାଧକ । ସସ୍ମିତାଙ୍କ କୋଳରୁ ଶୁଆ ନେଇଗଲା ବନବିଭାଗ । 

863

କନକ ବ୍ୟୁରୋ : ୧୨ ଦିନର ନିଖୋଜ ପରେ ମିଳିଲା, କିନ୍ତୁ ବଦଳି ଗଲା ଶୁଆ ‘କୋକୋ’ର ଠିକଣା । ମାଲିକ ନୁହେଁ ବରଂ ନନ୍ଦନକାନନ ଚିଡିଆଖାନାରେ ରହିବ କୋକୋ । ଆଇନର କଥା କହି ‘କୋକୋ’କୁ ନେଇଯାଇଛି ବନ ବିଭାଗ । ଅନିଚ୍ଛା ସତ୍ୱେ ଶୁଆକୁ ଖୁଆଇ ପିଆଇ ନିଜ ପାଖରୁ ବିଦାୟ ଦେଇଛନ୍ତି ପ୍ରଫେସର ସସ୍ମିତା ବେହେରା । ହେଲେ ତା’ ଦେହ ଅସୁସ୍ଥ ଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ନିଖୋଜ ହେବାରୁ ଚର୍ଚ୍ଚାକୁ ଆସିଥିବା କୋକୋକୁ ସିନା ବନ ବିଭାଗ ନେଇଗଲା, ହେଲେ ରାଜ୍ୟରେ ଅନେକ ଲୋକ, ଶ୍ରଦ୍ଧାରେ ପାଳିଥିବା ‘ଶୁଆ’କୁ କଣ ଖୋଜି ଖୋଜି ଉଦ୍ଧାର କରିବ ବନ ବିଭାଗ ।

ନୀରିହ ପକ୍ଷୀ, କାଠ ଦଣ୍ଡରେ ବସି କଣେଇ କଣେଇ ଚାହୁଁଥିଲା । ପୁଣି କେତେବେଳେ ତାଟିଆରେ ଥିବା ଦାନାକୁ ଚଂଚୁରେ ଉଠାଇ ଚୋବେଇ ପକାଉଥିଲା । ଦୀର୍ଘ ୧୨ ଦିନ ନିଖୋଜ ପରେ ପରିଚିତ ନିର୍ଭୟ ଆଶ୍ରୟ ସ୍ଥଳୀକୁ ଶୁଆ ଫେରି ଆସିଥିଲା । ହେଲେ ଆଇନ ବୁଝି ପାରିଲାନି ସ୍ନେହ, ମମତା! ମଣିଷ-ପକ୍ଷୀ ସମ୍ପର୍କରେ ସାଜିଲା ବାଧକ ।

ଆଇନ୍ ବୁଝେନି ଆବେଗର କଥା । ଜାଣିପାରେନି ସମ୍ପର୍କର ନିବିଡତା । ପାଖାପାଖି ଦୁଇ ସପ୍ତାହ ନିଖୋଜ ପରେ ପୁଣି କୋକୋ ଚାଲିଯିବା ଜାଣି କଟକ ମଧୁସୂଦନ ନଗରରେ ରହୁଥିବା ପ୍ରଫେସର ସସ୍ମିତା ବେହେରାଙ୍କ ଆଖିରେ ଲୁହ ଆସିଯାଇଛି । ଘରେ ତାକୁ ସେ ବନ୍ଦୀ କରି ରଖିନଥିଲେ, ପଞ୍ଜୁରୀ ଭିତରେ ମଧ୍ୟ ରଖିନଥିଲେ । କିନ୍ତୁ ବନ୍ୟପ୍ରାଣୀ ଆଇନ୍ ଦୃଷ୍ଟିରେ ଜଙ୍ଗଲୀ ପଶୁ ପକ୍ଷୀଙ୍କୁ ଘରେ ରଖିବା ଅପରାଧ । ତେଣୁ କୋକୋକୁ ନେବାକୁ ଆସିଥିଲେ ବନ ବିଭାଗ କର୍ମଚାରୀ ।

ପଞ୍ଜୁରୀ ଭିତରେ ଶୁଆଟି ବଲ ବଲ ହୋଇ ଚାହିଁ ରହିଥିଲା । ତାକୁ ନେଇ ଚାଲିଥିବା ଘଟଣାକ୍ରମକୁ ସେ ବୁଝି ପାରୁନଥିଲା । ହେଲେ ନିଜ ଅନିଚ୍ଛା ସତ୍ୱେ କୋକୋକୁ ବନବିଭାଗ ହାତରେ ଟେକି ଦେଇଥିବା ସସ୍ମିତାଙ୍କ ଆଖିରୁ ବୋହି ଯାଉଥିଲା ଲୋତକର ଧାର । ଏହି ଲୁହ ପ୍ରଶ୍ନ କରୁଛି, ପଶୁ ପକ୍ଷୀଙ୍କୁ ଭଲ ପାଇବା କଣ ଭୁଲ ? କୋକୋର ସେବା ଯତ୍ନ କରୁଥିବା ସତ୍ୱେ ତାଙ୍କଠୁ ଦୂରେଇ ଦିଆଯାଉଛି କାହିଁକି ? ମଣିଷ ସହ ରହିବାରେ ଅଭ୍ୟସ୍ତ ଶୁଆ ନୂଆ ପରିବେଶରେ କେମିତି ରହିବ ? କୋକୋର କିଛି ହୋଇଗଲେ କିଏ ଦାୟୀ ହେବ ?

ପ୍ରଫେସର ସସ୍ମିତାଙ୍କ ପୋଷା ଶୁଆ ଗତ ୫ ତାରିଖରୁ ନିଖୋଜ ହୋଇଯାଇଥିଲା । ଖୋଜାଖୋଜି ପରେ ନ ପାଇବାରୁ ଲିଫ୍ଟଲେଟ ବାଣ୍ଟି ଶୁଆ ବାବଦରେ ସୂଚନା ଦେଲେ ୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ସସ୍ମିତା । ଭୁବନେଶ୍ୱର କୁଆଖିଆ ନଦୀ କୂଳରୁ ଶୁଆକୁ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳର ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ରଖିଥିଲେ । ପରେ ସେ ଯୋଗାଯୋଗ କରି ସସ୍ମିତାଙ୍କୁ ଫେରାଇ ଦେଇଥିଲେ । ଆଉ ଏହି ଖବର ଗଣମାଧ୍ୟମରେ ଆସିବା ପରେ କୋକୋର ଠିକଣା ବଦଳିଛି ।