ବଢୁଛି ଖରା, ମିଳୁନି ଛାଇ । ‘ଫୋନି’ ପରେ ଗଛ ବଞ୍ଚାଇବାକୁ ନୂଆ ଯୋଜନା । ସିଧା ହେଲାଣି ୭ ହଜାର, ଆହୁରି ୩୦ ହଜାର ଗଛକୁ ସିଧା କରିବ ବନ ବିଭାଗ ।

119

କନକ ବ୍ୟୁରୋ : ‘ଫୋନି’ରେ ଭାଙ୍ଗିଛି ଲକ୍ଷ ଲକ୍ଷ ଗଛ, ଉପୁଡ଼ି ପଡ଼ିଛି ମହାଦ୍ରୁମ । ହଜାର ହଜାର ଗଛ ଶୋଇପଡ଼ିଛି । ପ୍ରଥମ ଥର ପାଇଁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରି ଶୋଇଥିବା ଗଛଗୁଡ଼ିକୁ ପୁଣି ଥରେ ସିଧା କରି ଛିଡ଼ା କରୁଛି ବନ ବିଭାଗ । ଏହି କୌଶଳ ପ୍ରୟୋଗ କରି ଭୁବନେଶ୍ବର ଓ ପୁରୀରେ ଏଯାବତ ୭ ହଜାରରୁ ଅଧିକ ଗଛ ସିଧା ଛିଡ଼ା କରାଗଲାଣି । ଆହୁରି ୩୦ ହଜାର ଗଛକୁ ସିଧା ଛିଡ଼ା କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଗତକାଲି ଦିନ ପ୍ରାୟ ୧୧ଟା ବେଳକୁ ବ୍ରହ୍ମଗିରି-ଖଜୁରିଆ ରାସ୍ତା କଡ଼ରେ ଶୋଇ ପଡ଼ିଥିବା ଗଛଗୁଡ଼ିକୁ ଉଠାଉଥାନ୍ତି ବନ କର୍ମଚାରୀ । ସିଧା ହୋଇଯିବା ପରେ ମୂଳରେ ମାଟି ଓ ଢିରା ଦେଇ ପାଣି ଦେଉଥାନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଶୋଇଥିବା ଗଛକୁ ଛିଡ଼ା କରୁଥାନ୍ତି ବନ ବିଭାଗର କର୍ମଚାରୀମାନେ । ସେମାନଙ୍କ ସହଯୋଗ କରୁଥାନ୍ତି ସ୍ବେଚ୍ଛାସେବୀ । ବାତ୍ୟାରେ ଶୋଇ ପଡ଼ିଥବା ଗଛଗୁଡ଼ିକୁ ପୂର୍ବରୁ ଲୋକେ କାଟି ନେଇ ଯାଉଥିଲେ । ସେଥିରୁ ଅନେକ ଗଛ ବଞ୍ଚିଛନ୍ତି । ସେଗୁଡ଼ିକୁ କାଟି ଦେବା ପରିବର୍ତ୍ତେ ବଞ୍ଚାଇବାକୁ ପଦକ୍ଷେପ ନେଇଛି ବନ ବିଭାଗ । ରାସ୍ତା କଡ଼ରେ ଶୋଇଥିବା ଗଛଗୁଡ଼ିକୁ ଲୋକେ ଆଗ କାଟିନେବେ । ତେଣୁ ପ୍ରଥମ ପର୍ଯ୍ୟାୟରେ ରାସ୍ତାକଡ଼ ଗଛଗୁଡ଼ିକୁ ସଳଖ କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ, ଫନିରେ ଉଭୟ ସରକାରୀ ଓ ବେସରକାରୀ ଜଙ୍ଗଲରୁ ପ୍ରାୟ ୨୨ ଲକ୍ଷ ଗଛ ନଷ୍ଟ ହୋଇଛି । ସେଥିରେ ବହୁ ବଡ଼ ବଡ଼ ଗଛ ରହିଛି । ଶୋଇ ପଡ଼ିଥିବା ମହାଦ୍ରୁମ ବା ଭଲ ଗଛଗୁଡ଼ିକରୁ ଧୀରେ ଧୀରେ ପତ୍ର କଅଁଳିଲାଣି । ତେଣୁ ସେ ସବୁ ଗଛ ବଞ୍ଚିଯିବାର ସମ୍ଭାବନା ଅଧିକ ରହିଛି । ଏହାବ୍ୟତୀତ ଏଭଳି ଗଛ କାଟିଦେଲେ ସେହି ସ୍ଥିତିରେ ଗଛଟିଏ ପହଞ୍ଚାଇବା ପାଇଁ ପ୍ରାୟ ୨୫ରୁ ୪୦ ବର୍ଷ ଲାଗିଯବ । ତେଣୁ ସେସବୁ ଗଛକୁ ଛିଡ଼ା କରାଯାଉଛି । ଏବେ ସୁଦ୍ଧା ୭ ହଜାରରୁ ଅଧିକ ଗଛ ଛିଡ଼ା ହୋଇ ସାରିଲାଣି । ଆମେ ୩୦ ହଜାର ଗଛକୁ ଛିଡ଼ା କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାସ୍ତା କଡ଼ ଓ ପରେ ପାର୍କ, ସରକାରୀ ଅଫିସ୍‌, ସରକାରୀ କ୍ବାର୍ଟର ଓ ଘରୋଇ ଲୋକଙ୍କ ଗଛକୁ ସିଧା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅପରେସନରେ କ୍ରେନ୍‌ ବି ଲାଗୁଛି । ବଡ଼ ବଡ଼ ଗଛକୁ କ୍ରେନ୍‌ ଓ ଜେସିବି ମାଧ୍ୟମରେ ଛିଡ଼ା କରାଯାଉଥିବା ଶ୍ରୀ ମହାପାତ୍ର କହିଥିଲେ ।

Comments are closed.