କନକ ବ୍ୟୁରୋ : ଆନ୍ଦୋଳନରୁ ଓହରିଲେ ବନ କର୍ମଚାରୀ । ରାଜ୍ୟ ସରକାରଙ୍କ ସହ ବୈଠକ ପରେ ଆନ୍ଦୋଳନରୁ ଓହରିବା ନେଇ ସୂଚନା ଦେଇଛନ୍ତି ନନ୍ ଗେଜେଟେଡ୍ ବନ ସଂଘ ସଭାପତି ଜଗବନ୍ଧୁ ପାତ୍ର । ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ଧାରଣା ଦେଉଥିଲେ ବନ କର୍ମଚାରୀ । ଏହାସହ ଙ୍ଗଲରେ ପାଟ୍ରୋଲିଂ ପାଇଁ ଯାଉ ନଥିଲେ ।

Advertisment

ତେବେ ସରକାରଙ୍କ ସହ ଆଲୋଚନା ବେଳେ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ଏହି ବୈଠକରେ ବନ କର୍ମଚାରୀଙ୍କ ପ୍ରତିନିଧି ସହ ଆଲୋଚନା କରିଥିଲେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ । ଏହାସହ ତିନି ଜଣ ପିସିସିଏଫ ଓ ସଚିବ ମଧ୍ୟ ଉପସ୍ଥିତ ଥିଲେ । ବନ କର୍ମଚାରୀ ଦାବି ପୂରଣ ପାଇଁ ସରକାରଙ୍କୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଦେଇଥିଲେ ।

ନିକଟରେ ଶିମିଳିପାଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇଥିଲେ । ଏହାପରେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସମସ୍ତ ଦିଗକୁ ବିଚାର କରି ଓ ବନ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।