କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ଉତ୍ତରାଖଣ୍ଡରେ ଜଳ ପ୍ରଳୟ ପରେ ଏବେ ନୟାନ୍ତ କଲାଣି ଜଙ୍ଗଲ ନିଆଁ । ଆଉ ସେ ନିଆଁକୁ ଆୟତ୍ତ କରିବା ପାଇଁ ଏନଡିଆରଏଫ୍ ଟିମ୍ ଏବଂ ଚପ୍ପର ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗର ସୂଚନା ଅନୁଯାୟୀ, ଜାନୁଆରୀ ୧ରୁ ରାଜ୍ୟରେ ୧,୦୨୮ ଜଙ୍ଗଲ ଅଗ୍ନିକାଣ୍ଡ ଘଟିଛି ଯେଉଁଥିରେ ୧,୩୫୯ ହେକ୍ଟର ଜଙ୍ଗଲ ଜମି କ୍ଷତିଗ୍ରସ୍ତ ହୋଇଛି ।
#ନୈନିତାଲ_ଜଙ୍ଗଲରେ_ନିଆଁ
ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ରାତିରେ ଭୟଙ୍କର ଦିଶୁଛି ଜଙ୍ଗଲୀ ନିଆଁ । ନିଆଁ ଲିଭାଇବାକୁ ଚାଲିଛି ପ୍ରାଣମୂର୍ଚ୍ଚା ଉଦ୍ୟମ ।#uttarakhandforestfire#Uttarakhandpic.twitter.com/lNOWa492qD— Kanak News (@kanak_news) April 5, 2021
ଏପରିକି ଉତ୍ତରାଖଣ୍ଡର ପାହାଡି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଏକରରୁ ଅଧିକ ଜଙ୍ଗଲ ଜମି ନଷ୍ଟ ହୋଇଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ପାଉରୀ, ଆଲମୋରା, ନୈନତଲା, ପିଥୋରାଗଡ଼ ଏବଂ ତେହେରୀ ଭଳି ଜିଲ୍ଲା ଗୁଡ଼ିକ ରହିଛି । ତେବେ ଶୁଖିଲା ଅବସ୍ଥା ଏବଂ ଗରମ ପାଗ ଯୋଗୁଁ ଏହିସବୁ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଥିବା ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କହିଛନ୍ତି ।
ସେହିପରି ବନ ଅଧିକାରୀମାନେ କହିଛନ୍ତି ଯେ ଚଳିତ ବର୍ଷର ଭୟାବହ ଜଙ୍ଗଲ ଅଗ୍ନିକାଣ୍ଡ ୨୦୧୬ର ସ୍ମୃତିକୁ ତାଜା କରିଦେଉଛି । ସେତେବେଳେ ଏହି ଗ୍ରୀଷ୍ମ ମାସରେ ଅଗ୍ନିକାଣ୍ଡ ଯୋଗୁଁ ଉତ୍ତରାଖଣ୍ଡର ୪,୪୦୦ ହେକ୍ଟରରୁ ଅଧିକ ଜଙ୍ଗଲ ନଷ୍ଟ ହୋଇଯାଇଥିଲା। ତେବେ ଜଙ୍ଗଲ ନିଆଁ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାୱତ ରବିବାର ଦିନ ବରିଷ୍ଠ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଆଉ ବିଭିନ୍ନ ଟେକ୍ନୋଲୋଜୀ ମାଧ୍ୟମରେ ଜଙ୍ଗଲ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରାୱତ ସମସ୍ତ ଜଙ୍ଗଲ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରିବା ସହ ଘଟଣା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବନ ପର୍ୟ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ପଞ୍ଚାୟତ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ସର୍ବନିମ୍ନ ସ୍ତରରେ ହ୍ରାସ କରିବା ଏବଂ ତହସିଲ ଏବଂ ବ୍ଲକ ସ୍ତରରେ ଅଗ୍ନି ନିୟନ୍ତ୍ରଣ କକ୍ଷ ଏବଂ ଅଗ୍ନିଶମ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସବୁଠାରୁ ବଡ଼କଥା ହେଲା, ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡର ୧,୦୨୮ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି । ତେବେ ପାଉରୀ ଗଢ଼ୱାଲ ଜଙ୍ଗଲରେ ସର୍ବାଧିକ ୨୫୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ପିଥୋରାଗଡ ଏବଂ ବାଗେଶ୍ୱରରେ ୯୪, ନୈନିତାଲରେ ୯୧, ତେହେରୀରେ ୮୮, ଉତ୍ତରକାଶୀର ୭୧ ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଛି। ଏପରିକି ହରିଦ୍ୱାର ଏବଂ ଉଦ୍ଦମ ସିଂ ନଗର ଭଳି ସ୍ଥାନରେ ବି ଚଳିତ ବର୍ଷ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ଦେଇଛନ୍ତି ସରକାର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/EyCu8UmVcAM4sJW.jpg)