ଖବର ବାଜିଲା ପରେ ବନ ବିଭାଗର ନିଦ ଭାଙ୍ଗିଲା । ମାଲକାନଗିରି ବଣ୍ଡା ଘାଟିରୁ ନିଆଁ ଲିଭାଇବାକୁ ତତ୍ପର ବନ ବିଭାଗ ।

103

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ୮ଟି ପାହାଡରେ ପୋଡୁ ଚାଷ ପାଇଁ ନିଆଁ ଲାଗିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ତତ୍ପରତା ଦେଖାଇଛି ମାଥିଲି ବନବିଭାଗ । ରାତିରେ ଘାଟି ଅଂଚଳର ପାହାଡ ଚଢି ନିଆଁକୁ କାବୁ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁର ପ୍ରଭାବ ଦେଖିବାକୁ ମିଳିଛି । ୩ ଦିନ ଧରି ଜିଲ୍ଲାରେ ଧୂଆଁଳିଆ ପରିବେଶ ଦେଖିବାକୁ ମିଳୁଛି।

ରାତିର ଅନ୍ଧାର ଭିତରେ ପାହାଡ ଚଢି ନିଆଁକୁ କାବୁ କରିଛି ବନବିଭାଗ । ବଣ୍ଡା ଘାଟିର ୮ଟି ପାହାଡରେ ନିଆଁ ଲାଗିବା ଖବର କନକ ନ୍ୟୁଜରେ ପ୍ରସାରଣ ହେବା ପରେ ତତ୍ପର ହୋଇଛି ମାଲକାନଗିରି ଜିଲ୍ଲା ମାଥିଲି ବନ ବିଭାଗ । ମାଥିଲି ବନାଂଚଳ ଅଧିକାରୀ ପର୍ଶୁରାମ ଭୂମିଆଙ୍କ ନେତୃତ୍ୱରେ ଶୁକ୍ରବାର ରାତିରୁ ନିଆଁ ଲିଭା କାମ ଜାରି ହୋଇଛି । କିଛି ପରିମାଣରେ ନିଆଁ ଆୟତ୍ତ ହୋଇଥିବା ବେଳେ ବଣ୍ଡାଘାଟି ସମେତ ମାଡକାପଦର, ବେଙ୍ଗପାଣି, ବଡଡୁରାଲ ପାହାଡରେ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚାଲିଛି ।

ଗତ ୪ ଦିନ ହେବ ପାହାଡରେ ନିଆଁ ଲାଗିବା ପରେ ଜଙ୍ଗଲ ଧୂଆଁ ବିଭିନ୍ନ ଅଂଚଳକୁ ବ୍ୟାପି ଯାଇଛି । ଯେଉଁଥିରେ ମାଲକାନଗିରି ଜିଲ୍ଲାର ପରିବେଶ ଧୂଆଁମୟ ହୋଇଯାଇଛି । କୋହଲା ପାଗ ସାଙ୍ଗକୁ ଚାରି ଆଡେ କେବଳ ଧୂଆଁ ଆଉ ଧୂଆଁର ଆସ୍ତରଣ । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏହି ଧୂଆଁଳିଆ ପରିବେଶରେ ଘରୁ ବାହାରକୁ ବାହାରିଲେ ଲୋକଙ୍କ ଆଖି ପୋଡୁଥିବା ଅଭିଯୋଗ ହୋଇଛି । ବଣ୍ଡାଘାଟି ପହାଡ ଉପରେ ବନ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେଣୁ ନିଆଁ ଲିଭା ପ୍ରକ୍ରିୟାରେ ଅଧିକ ଧୂଆଁ ହେଉଥିବାରୁ ଚାରି ଆଡେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ମାଲକାନଗିରି ଡିଏଫଓ ସୂଚନା ଦେଇଛନ୍ତି ।