ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା । ‘ସେସୁ’କୁ ଦାୟୀ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

45

କନକ ବ୍ୟୁରୋ: ଢ଼େଙ୍କାନାଳରେ ଅକାଳରେ ଚାଲିଯାଇଥିବା ୭ଟି ହାତୀ ମୃତ୍ୟୁ ପାଇଁ ‘ସେସୁ’କୁ ଦାୟୀ କଲେ ରାଜ୍ୟ ସରକାର । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀଙ୍କ କହିବା କଥା ଯେ, ‘ହାତୀ ମୃତ୍ୟୁ ପାଇଁ ସେସୁ ହିଁ ଦାୟୀ’ କାରଣ ୧୧ କେ.ଭି ବିଦ୍ୟୁତ୍ ତାର ଝୁଲିଥିବା କଥା ବାରମ୍ବାର ସେସୁ କର୍ତ୍ତୁପକ୍ଷଙ୍କୁ ଜଣାଯାଇଥିଲା । କିନ୍ତୁ ସେସୁ ଏହାର କୌଣସି ପ୍ରତିକାର କରିନାହାନ୍ତି । ଯାହାର ପରିଣାମ ନୀରିହ ହାତୀଙ୍କୁ ଭୋଗିବାକୁ ପଡ଼ିଛି । ଏବଂ ଏହା ହାତୀଙ୍କ ଜୀବନ ପ୍ରତି ସେସୁର ଦାୟିତ୍ୱବୋଧ ନଥିବା ଦର୍ଶାଉଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।

ସେପଟେ ବନ ବିଭାଗ ମଧ୍ୟ ସେସୁକୁ ହିଁ ଦାୟୀ କରିଛନ୍ତି । ବନ ବିଭାଗକୁ ବାରମ୍ବାର କହିବା ପରେ ମଧ୍ୟ ସେମାନଙ୍କ ଅବହେଳା ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି ପିସିସିଏଫ୍ । ଅନ୍ୟପଟେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କେଉଁ କାରଣରୁ ଏଭଳି ଘଟିଛି ତାହାର ରିପୋର୍ଟ ତଦନ୍ତ ଶେଷ ପରେ ଜଣାପଡ଼ିବ । ଏବଂ ରିପୋର୍ଟ ଆସିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ହେବ ।

ଗୋଟିଏ ପଟେ ଢ଼େଙ୍କାନାଳରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ଆଉ ଅନ୍ୟପଟେ ସେହି ସହରେ ଚାଲି ଯାଇଛି ୭ହାତୀଙ୍କ ଜୀବନ । ଢ଼େଙ୍କାନାଳର ସଦର ରେଞ୍ଜ ବନଖଣ୍ଡରେ ଘଟିଯାଇଛି ଏହି ଅଘଟଣ । ଏହାକୁ ନେଇ ପଶୁ ପ୍ରେମୀଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିଛି । କୁହାଯାଉଛି ଖୁବ୍ କମ୍ ଉଚ୍ଚତାରେ ୧୧ କେଭି ବିଦ୍ୟୁତ୍ ତାର ଝୁଲି ରହିବାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଛି । ବନ୍ୟପ୍ରାଣୀ ଇତିହାସରେ ପ୍ରଥମ ଥର ଏକକାଳିନ ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ବି ଉତ୍ତେଜନା ଲାଗି ରହିଛି ।