ବମିଖାଲ ଓଭରବ୍ରିଜ୍ ଭୁଶୁଡି ପଡିବା ପରେ ଆରମ୍ଭ ହେଲା ଛାନଭିନ : ଦୁର୍ଘଟଣା ସ୍ଥଳରେ ଫରେନସିକ ଟିମର ୮ ଜଣିଆ ଦଳ, ରକ୍ତ ନମୂନା ସଂଗ୍ରହ ସହ ପାରିପାଶ୍ୱିର୍କ ସ୍ଥିତିର କଲେ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି

37

କନକ ବ୍ୟୁରୋ : ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଭୁଶୁଡି ପଡିବା ପରେ ବମିଖାଲ ଓଭରବ୍ରିଜ ଉପରେ ସାରା ରାଜ୍ୟର ନଜର ରହିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ପହଚିଂଛନ୍ତି ଫରେନସିକ ଟିମ । ରାଜ୍ୟ ଫରେନସିକ ଲ୍ୟାବର ୮ ଜଣିଆ ଦଳ ବମିଖାଲ ଓଭରବ୍ରିଜରୁ ଲୁହା ରେଲିଂ ଖସିିପଡିଥିବା ସ୍ଥାନରେ ତନତନ କରି ଯାଂଚ କରୁଛନ୍ତି । ମୃତ ଶ୍ରମିକଙ୍କ ରକ୍ତ ନମୂନା ସଂଗ୍ରହ କରିବା ସହ ଦୁର୍ଘଟଣା ସ୍ଥଳର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ମଧ୍ୟ କରାଯାଉଛି ।
କେଉଁ ଦିଗରେ ଫରେନସିକ ଟିମ ଯାଂଚ କରୁଛି ସେ ନେଇ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଶ୍ରମିକଙ୍କ ମୃତ୍ୟୁ ନେଇ ଛାନଭିନ କରୁଥିବା ଅନୁମାନ କରାଯାଉଛି । କେଉଁ ପରିସ୍ଥିତିରେ ରେଲିଂ ଖସିପଡିଲା , ବ୍ରିଜ ନିର୍ମାଣରେ କି ପ୍ରକାର ଲୁହା ଛଡ ବ୍ୟବହାର ହୋଇଥିଲା ଏସବୁ ଦିଗକୁ ତର୍ଜମା କରୁଛନ୍ତି । ନିମ୍ନମାନର କାମ ଓ ଶ୍ରମିକଙ୍କ ସୁରକ୍ଷାକୁ ଅଣଦେଖା ନେଇ ଯେଉଁ ଅଭିଯୋଗ ହେଉଛି ଏହି ସାଇଟିଂଫିକ ତଦନ୍ତ ସେ ଦିଗକୁ ଉଜାଗର କରିବ ବୋଲି ଅନୁମାନ କରାଯାଉଛି ।

ସେପଟେ ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିସନର । ବମିଖାଲ ଓଭରବ୍ରିଜ ଭୁଶୁଡିବା ନେଇ ପୋଲିସ ତାଙ୍କୁ ପଚରାଉଚରା କରୁଛି । ଲକ୍ଷ୍ମୀସାଗର ଥାନାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରତାପ ପଣ୍ଡାଙ୍କୁ ଦଫା ୩୦୪, ୩୩୭, ୩୩୮ ଓ ଆଇପିସି ୩୪ ଆଧାରରେ ଗିରଫ କରାଯାଇଛି । କାହିଁକି ଦୁର୍ଘଟଣା ଘଟିଲା ଓ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ କରାଯିବ । ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତାପଙ୍କ ନାଁରେ ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ଯ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି । ପୂର୍ବରୁ ମଧ୍ୟ ଓଭରବ୍ରିଜ ଭୁଶୁଡିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଜାମିନରେ ମୁକୁଳିବା ପରେ ପୁଣି ଘଟିଛି ଅଘଟଣ ।