ବିଦେଶିନୀଙ୍କ ମୁହଁରେ ହରେ କୃଷ୍ଣ ହରେ ରାମ । ଗାଁ ଅଷ୍ଟମ ପ୍ରହରରେ ହରି ନାମ କରି ଝାଂଜ ଓ ମୃଦଙ୍ଗର ତାଳେ ତାଳେ ନାଚି ଉଠିଲେ ସୁଇଜରଲାଣ୍ଡ ନାଗରିକ ।

202

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବିଦେଶିନୀଙ୍କ ଭଜନ କୀର୍ତ୍ତନ । ଅଷ୍ଟମ ପ୍ରହରରେ ହରି ନାମ ସଂକୀର୍ତନ କରି ଝାଂଜ ଓ ମୃଦଙ୍ଗର ତାଳେ ତାଳେ ନାଚି ଉଠିଲେ ସୁଇଜରଲାଣ୍ଡ ନାଗରିକ । ଭାରତୀୟ ପରମ୍ପରାକୁ ଆଦରି ନେଇଥିବା ବିଦେଶିନୀମାନେ ଶାଢି ପିନ୍ଧିଥିବା ବେଳେ ପୁରୁଷମାନେ ଧୋତି ଓ ପାଇଜାମା ପିନ୍ଧି ପ୍ରଭୁଙ୍କ ନାମ ଜପୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅସ୍ତରଙ୍ଗ ରାଇବେରୁହାଁ ଗାଁରେ ।

ଅଷ୍ଟପ୍ରହର ନାମଯଜ୍ଞରେ ବିଦେଶିନୀ । ବିଦେଶିନୀଙ୍କ ମୁହଁରେ ହରେ କୃଷ୍ଣ ହରେ ରାମ । ହାତରେ ଗିନି, ମୁହଁରେ ହରି ନାମ । ଅଷ୍ଟପ୍ରହର କୁଂଜ ଚାରିପଟେ ହରି ନାମ ଗାଇ ଗାଇ ବୁଲୁଛନ୍ତି ବିଦେଶୀ ଭକ୍ତ । ହରେ କୃଷ୍ଣ ହରେ ରାମ, ନିତାଇ ଗୌର ରାଧେଶ୍ୟାମ ନାମ ଗାୟନ କରିବା ସମୟରେ ମୃଦଙ୍ଗ ଓ ଝାଂଜର ତାଳେ ତାଳେ ନାଚି ଉଠୁଛି ବିଦେଶିନୀଙ୍କ ମନ । ହାତକୁ ହାତ ଧରି ବିଭିନ୍ନ ଭଙ୍ଗିରେ କରୁଛନ୍ତି ନୃତ୍ୟ । ପୁରୀ ଅସ୍ତରଙ୍ଗ ବ୍ଲକ ରାଇବେରୁହାଁ ଗାଁରେ ଆୟୋଜିତ ଅଷ୍ଟମ ପ୍ରହରରେ ବିଦେଶୀଙ୍କ ଭଜନ କୀର୍ତ୍ତନକୁ ଉପଭୋଗ କରିଥିଲେ ଗ୍ରାମବାସୀ ।

ହରି ନାମ ସଂକୀର୍ତନ କରୁଥିବା ୫ ଜଣ ବିଦେଶୀ ହେଉଛନ୍ତି ସୁଇଜରଲ୍ୟାଣ୍ଡର ନାଗରିକ । ଭାରତୀୟ ପରମ୍ପରାରେ ନିଜକୁ ସାମିଲ କରିଥିବା ବିଦେଶିନୀମାନେ ଶାଢି ପିନ୍ଧି ଥିବା ବେଳେ ପୁରୁଷମାନେ ଧୋତି ପରିଧାନ କରିଥିଲେ । ଆଉ ଏହି ବିଦେଶୀଙ୍କୁ ନିଜ ଗାଁର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରି ସାରା ଦୁନିଆରେ ସନାତନ ଧର୍ମର ପ୍ରଚାର ପ୍ରସାର କରିବାକୁ ଚାହୁଁଥିବା କହିଛନ୍ତି ରାଇବେରୁହାଁ ଗ୍ରାମବାସୀ । ୩୦ ବର୍ଷ ହେଲା ରାଇବେରୁହାଁ ଗାଁରେ ସାମଗ୍ରିକ ଭାବେ ଅଷ୍ଟପ୍ରହର ନାମଯଜ୍ଞ ବହୁ ଆଡମ୍ବରରେ କରାଯାଏ । ଗତ ୫ ବର୍ଷ ହେବ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦେଶୀ ଭକ୍ତମାନେ ସାମିଲ ହୋଇ ଭଜନ କୀର୍ତନ କରିଆସୁଛନ୍ତି ।