ଭାରତରେ ସହଜ ହେଲା ବିଦେଶୀ କୋଭିଡ ଟିକା ପ୍ରବେଶ । ସ୍ଥାନୀୟ ପରୀକ୍ଷଣ ବିନା ଲଂଚ୍ କରିପାରିବେ ବିଦେଶୀ ଟିକା କମ୍ପାନୀ

1,292

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଭିନ୍ନ ଦେଶରେ ଅନୁମତି ପାଇଥିବା କୋଭିଡ-୧୯ ଟିକା ଏବେ ଭାରତରେ ସହଜରେ ଲଂଚ କରିପାରିବ । ଏନେଇ ବିଦେଶୀ ଟିକାକୁ ଭାରତରେ ସ୍ଥାନୀୟ ପରୀକ୍ଷଣ ପାଇଁ ଥିବା ବାଧ୍ୟତା ମୂଳକ ଆଇନକୁ ରଦ୍ଧ କରିଦିଆଯାଇଛି । ବୁଧବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ବା (ଡିସିଜିଆଇ) ପକ୍ଷରୁ ଏଭଳି କୁହାଯାଇଛି । କୁହାଯାଉଛି କି, ଭାରତରେ ଅନୁଭୂତ ହେଉଥିବା ଟିକାର ଅଭାବ ଫଳରେ ବିଦେଶରୁ ଟିକା ଆମଦାନୀକୁ ସହଜ କରିବାକୁ ଏଭଳି କରାଯାଇଛି । ଏନେଇ ଫାଇଜର ଓ ମଡର୍ନର୍ା ଭଳି ଟିକ ନିର୍ମାତା କମ୍ପାନୀ ଭାରତ ସରକାରଙ୍କ ଆଗରେ ଏଭଳି ସର୍ତ୍ତ ରଖିଥିଲେ ।

କୁହାଯାଇଛି କି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ଟିକାକୁ ଭାରତରେ ବ୍ରିଜିଙ୍ଗ ଟ୍ରାଏଲ ବା ସ୍ଥାନୀୟ ପରୀକ୍ଷଣରେ ସାମିଲ ହେବାକୁ ପଡିବ ନାହିଁ । ଏନେଇ ଡିସିଜିଆଇ ର ବିଜ୍ ସୋମାନୀ କହିଛନ୍ତି କି ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକସିନ୍ ଆଡମିନଷ୍ଟ୍ରେସନ(ଏନଇଜିଭିଏସି) ର ସୁପାରିଶ ଆଧାରରେ ବିଦେଶୀ ଟିକା ଉପରେ ସ୍ଥାନୀୟ ପରୀକ୍ଷଣ କୋହଳ କରାଯାଇଛି ।

କହିରଖୁ କି ଭାରତରେ ନିର୍ମିତ ୨ ଟି ଟିକାକୁ ଏବେ ଭାରତୀୟଙ୍କୁ ଦିଆଯାଉଥିବା ବେଳେ ଟିକାର ଅଭାବ ଦେଖା ଦେଇଛି    । କୋଭାକ୍ସିନ ଓ କୋଭିସିଲ୍ଡ ଟିକା ପର୍ଯ୍ୟାପ୍ତ ଉତ୍ପାଦନ ହୋଇ ନ ପାରିବାରୁ ଭାରତ ସରକାର ବିଦେଶୀ ଟିକା ଆମଦାନୀ କରି ଦେଶରେ ଲୋକଙ୍କୁ ଦେବାକୁ ଯୋଜନା କରୁଛନ୍ତି । ହେଲେ ଡିସିଜିଆଇ ପୂର୍ବ ସର୍ତ୍ତ ମୁତାବକ ବିଦେଶୀ ଟିକା ଭାରତୀୟ ମାନଙ୍କ ଠାରେ ଲଗାଇବା ପୂର୍ବରୁ ଟିକାୁ ଲୋକାଲ କ୍ଲନିକାଲ ଟ୍ରାଏଲ ବା ବ୍ରିଜିଙ୍ଗ ଷ୍ଟଡିଜ କରିବାକୁ ପଡିବ    । ଏଥିପାଇଁ ସମୟ ଲାଗୁଥିବାରୁ ଟିକାର ଅଭାବ ତୁରନ୍ତ ଦୂର କରିବାକୁ ଡିସିଜିଆଇ ଏଭଳି ନିଷ୍ପତ୍ତି ନେଇଛି ।

ସୂଚନା ମୁତାବକ ଭାରତ ସରକାର ନାମିଦାମୀ ବିଦେଶୀ ଟିକା ନିର୍ମାତା କମ୍ପାନୀ ମାନଙ୍କୁ ସ୍ଥାନୀୟ ପରୀକ୍ଷଣରୁ ମୁକ୍ତି ଦେଇଛି । ଅନ୍ୟପଟେ ଟିକା ଯୋଗାଣ ପାଇଁ ରାଜ୍ୟ ସରକାରମାନେ କେନ୍ଦ୍ର ଉପରେ ଚାପ ପକାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଟିକାର ଅଭାବ ଦୂରହେବ ବୋଲି ଆଶା କରାଯାଉଛି ।