କନକ ବ୍ୟୁରୋ: ପୁଣି ଜୁଆଙ୍ଗରେ ଶିକ୍ଷାର ଆଲୋକ ପ୍ରଦାନ କରିବେ ମାଇକେଲ ଏ. ଦୁବେ । ନିଆଳି ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ଜୁଆଙ୍ଗକୁ ଦୀର୍ଘ ୨୫ ବର୍ଷ ଧରି ଶିକ୍ଷା ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ମାଗଣାରେ ଯୋଗାଇ ଆସୁଥିବା ବିଦେଶୀ ନାଗରିକ ଚାରିଟେବୁଲ ଟ୍ରଷ୍ଟରେ ଦୁର୍ନୀତିର ସୁରାକ ପାଇଲା ପରେ ଟ୍ରଷ୍ଟିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଫାଉଣ୍ଡର ମାଇକେଲ ଏ.ଦୁବେ । ନୂତନ ଟ୍ରଷ୍ଟ ବୋର୍ଡ ଗଠନ ହେଲା ପରେ ଶିକ୍ଷା ମନ୍ଦିରରେ ପୁଣି ପ୍ରଦୀପ ପ୍ରଜ୍ଜଳିତ ହେବ ବୋଲି ଆଶା ରଖିଛନ୍ତି ମାଇକେଲ ।

Advertisment

ବିଦ୍ୟାଳୟ ଅଛି, କିନ୍ତୁ ପିଲା ନାହାନ୍ତି କି ଶିକ୍ଷକ ନାହାନ୍ତି । ସେହିଭଳି ଦ୍ୱୀପାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ବି ଝୁଲୁଛି ତାଲା । କଟକ ଜିଲ୍ଲା ନିଆଳି ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ଜୁଆଙ୍ଗରେ ଥିବା ବିବେକାନନ୍ଦ ପବ୍ଲିକ୍ ସ୍କୁଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ବନ୍ଦ ପଡିଛି । ଦିନେ ଏହି ସ୍ଥାନ ବେଶ ଚଳଚଞ୍ଚଳ ଥିଲା । ଛାତ୍ରଛାତ୍ରୀ ମାଗଣା ଶିକ୍ଷା ପାଉଥିଲେ, ରୋଗୀଙ୍କୁ ମାଗଣା ଚିକିିତ୍ସା ମିଳୁଥିଲା । ହେଲେ ଏବେ ଏହା ବନ୍ଦ ହୋଇଯାଇଛି । ଆଉ ଏହି ବନ୍ଦ ପଛରେ ରହିଛି ଦୁର୍ନୀତି ଅଭିଯୋଗ । ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆସୁଥିବା ଅର୍ଥକୁ ହେରଫେର୍ କରାଯାଉଥିବା ଜଣାପଡିବା ପରେ ଏହାକୁ ବନ୍ଦ କରି ଦେଇଛନ୍ତି ଏହାର ପ୍ରତିଷ୍ଠାତା ଆମେରିକୀୟ ସମାଜସେବୀ ମାଇକେଲ ଏ.ଦୁବେ ।

୨୬ ବର୍ଷ ତଳେ ଓଡିଶା ଭ୍ରମଣରେ ଆସି ଦ୍ୱିପାଞ୍ଚଳରେ ପହଞ୍ଚିଥିଲେ ଆମେରିକୀୟ ପର୍ଯ୍ୟଟକ ମାଇକେଲ ଏ.ଦୁବେ । ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ବୁଲିବା ବେଳେ ଏଠିକାର ସମସ୍ୟା ତାଙ୍କୁ ବ୍ୟଥିତ କରିଥିଲା । ଦ୍ୱିପାଞ୍ଚଳର ଦୁଃଖ ଦୂର କରିବା ଉଦ୍ଦେଶ୍ୟରେ ୧୯୯୭ରେ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୦୦୨ରେ ବିବେକାନନ୍ଦ ପବ୍ଲିକ୍ ସ୍କୁଲ ପ୍ରତିଷ୍ଠା କରିଥିଲେ । କୁନି କୁନି ପିଲାଙ୍କ ଜୀବନରେ ଶିକ୍ଷାର ଆଲୋକ ବୁଣିବା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଚାରି ଟେବୁଲ ଟ୍ରଷ୍ଟ ଜରିଆରେ ଅର୍ଥ ଯୋଗାଉଛନ୍ତି ମାଇକେଲ ଏ.ଦୁବେ । ହେଲେ ଏହାର ପରିଚାଳନା ଦାୟିତ୍ୱରେ ଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ମନଇଚ୍ଛା ଅଯୋଗ୍ୟ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟରେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା । ଏହା ଜଣାପଡିବା ପରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଅନୁଦାନ ବନ୍ଦ ରହିଛି । ଏଇ ନିକଟରେ ମାଇକେଲ ଏ.ଦୁବେ ନିଜେ ସବୁ ସତ୍ୟାସତ ଅନୁଧ୍ୟାନ କରିବା ପରେ ଏହି ଅନୁନ୍ନତ ଅଞ୍ଚଳରେ ପୁଣି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ତେବେ ଓଡିଶାରେ ବିଦେଶୀ ନାଗରିକଙ୍କ ସହିତ ଶୋଷଣ ଓ ବିଶ୍ୱାସ ଘାତକତା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମଧ୍ୟ କେହି ଦୂଷ୍ଟି ଗୋଚର କରୁନାହାନ୍ତି ।