ଉହାନ୍ ଲ୍ୟାବରୁ ବାହାରିଛି କି କରୋନା ଭୂତାଣୁ ? ପ୍ରଥମଥର  ପାଇଁ ସାମ୍ନାକୁ ଆସିଲା ଉହାନରେ କାମ କରୁଥିବା ବିଦେଶୀ ବୈଜ୍ଞାନିକଙ୍କ ବୟାନ, ବାଦୁଡି ଜାତ ଭୂତାଣୁ ଉପରେ କରୁଥିଲେ ଗବେଷଣା । 

408

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଳୟ ସାରା ବିଶ୍ୱକୁ ପ୍ରଭାବିତ କରିଛି  । ଚୀନରେ  ପ୍ରଥମକରି ଦେଖା ଦେଇଥିବା ଏହି ମାରାତ୍ମକ ଭୂତାଣୁ ଉହାନ ଲ୍ୟାବରେ ସୃଷ୍ଟି ହୋଇଥିବା ଆମେରିକା ଅଭିଯୋଗ କରିଆସୁଛି । ଏହାରି ଭିତରେ ଉହାନ ଲାବରେ  କାମ କରୁଥିବା ଜଣେ ବିଦେଶୀ ବୈଜ୍ଞାନିକଙ୍କ ବୟାନ ସାମ୍ନାକୁ ଆସିଛି । ଯିଏକି ଉହାନ ଲ୍ୟାବରେ ୨୦୧୯ ପର୍ଯ୍ୟନ୍ତ କାମ କରିଥିଲେ । ଆଉ ଏହି ସମୟରେ ହିଁ ଉହାନରେ କରୋନା ଭୂତାଣୁର ପ୍ରକୋପ ଆରମ୍ଭ ହୋଇଥିଲା ।

ସାମ୍ନାକୁ ଆସିଲା ଉହାନ ଲ୍ୟାବ ବୈଜ୍ଞାନିକଙ୍କ ବୟାନ । ବାଦୁଡି ଭୂତାଣୁ ଉପରେ କରୁଥିଲେ ଅନୁସନ୍ଧାନ । ଡାନିଏଲ୍ ଆଣ୍ଡ୍ରସନ୍, ୨୦୧୯ରେ ଉହାନର ଲ୍ୟାବରେ କାମ କରୁଥିବା ଜଣେ ଅଷ୍ଟ୍ରେଲୀୟ ବୈଜ୍ଞାନିକ । ବିବାଦୀୟ କରୋନା ଭୂତାଣୁକୁ ନେଇ  ନିଜ ବୟାନ ଦେଇଛନ୍ତି । ଆଣ୍ଡ୍ରସନ୍ କହିଛନ୍ତି, “ଲ୍ୟାବରେ କାମ କରିବା ସମୟରେ  ପ୍ରତ୍ୟେକ କର୍ମଚାରୀ, ଅନୁସନ୍ଧାନକାରୀ ଓ ବିଶେଷଜ୍ଞ ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ  ପ୍ରତିରକ୍ଷା ସୁଟ୍ ପିନ୍ଧିଥାନ୍ତି । ଏଥିରେ ସେମାନଙ୍କ ଜରିଆରେ କୌଣସି ବି ଭୂତାଣୁ ଲ୍ୟାବ୍ ବାହାରକୁ ଲିକ୍ ହେବା ଅସମ୍ଭବ ।”

ଉହାନ ଲ୍ୟାବର ସୁରକ୍ଷା ଉପରେ ଆମେରିକା ପ୍ରଶ୍ନ ଉଠାଇ ଆସୁଛି । ଏହାଛଡା ସେଠାରେ କାମ କରୁଥିବା ବୈଜ୍ଞାନିକମାନେ ଭୂତାଣୁକୁ ଅନୁଧ୍ୟାନ କରି ଆହୁରି ବିପଦଜନକ କରୁଥିଲେ । ଆମେରିକା ଉହାନ ଲ୍ୟାବ୍ ବୈଜ୍ଞାନିକଙ୍କ ଉପରେ ଏଭଳି ଟିପ୍ପଣୀ ଦେବା ପରେ ପ୍ରଥମ ଥର ସାମ୍ନାକୁ ଆସି ନିଜ ବୟାନ ରଖିଛନ୍ତି ଡାନିଏଲ  ଆଣ୍ଡରସନ୍ । ସେ କହିଛନ୍ତି, “ଅଧା ସତ ଆଉ ବିକୃତ ସୂଚନାକୁ ନେଇ ଗଣମାଧ୍ୟମ ସାମ୍ନାରେ ରଖାଯାଉଛି  । ଅନ୍ୟ ପରିକ୍ଷାଗାର ଭଳି ଏହା ମଧ୍ୟ ଏକ ସାଧାରଣ ଲ୍ୟାବ୍ । ଏଠାରେ ଆମେ ପ୍ରତିଦିନ ଏକ ଆବଦ୍ଧ ପରିସର ଭିତରେ ସମାନ ଶୈଳୀରେ କାମ କରୁ ।”

ବାଦୁଡି ଦେହରୁ ଜାତ ଭୂତାଣୁ ଉପରେ ଅନୁସନ୍ଧାନ କରୁଥିବା ବିଶେଷଜ୍ଞ  ଆଣ୍ଡରସନ୍ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବିଏସଏଲ–୪  ଲ୍ୟାବରେ ଅନୁସନ୍ଧାନ କରୁଥିଲେ । ସେ  ୨୦୧୯ ନଭେମ୍ବର ମାସ ପର୍ଯ୍ୟନ୍ତ ଉହାନ  ଲ୍ୟାବରେ କାମ କରିଥିଲେ । ଆଉ ଏହି ସମୟରେ ହିଁ ଉହାନରେ କରୋନା ଭୂତାଣୁର ପାଦୁର୍ଭାବ ଆରମ୍ଭ ହୋଇଥିଲା ।