ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇଡିର ସାଂଘାତିକ ଅଭିଯୋଗ । ଇଡିର ଦାବି, ମହାଦେବ ଅନଲାଇନ୍ ବେଣ୍ଟି ଆପର ପ୍ରମୋଟର ଭୂପେଶ ବଘେଲଙ୍କୁ ଦେଇଛନ୍ତି ୫୦୮ କୋଟି ଟଙ୍କା

268

କନକ ବ୍ୟୁରୋ : ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ଇଡି ସ୍କାନରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଇଡିର ଜାଲରେ ପଡ଼ିଛନ୍ତି । ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଠାରୁ ଭୂପେଶ ବଘେଲ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ କରିଛି ଇଡି । ଗୁରୁବାର ମହାଦେବ ବେଣ୍ଟ ଆପ୍ ଦୁର୍ନୀତି ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ରେଡ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଚଢ଼ାଉ ବେଳେ ଏହି ସଂସ୍ଥା ପାଖରୁ ନଗଦ ୫କୋଟି ୩୯ ଲକ୍ଷ ଟଙ୍କା ଠାବ ହୋଇଥିଲା । ଏହି କୋରିୟର ସଂସ୍ଥା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଜେରା ବେଳେ ସାଂଘାତିକ ତଥ୍ୟ ହାସଲ କରିଛି ଇଡି । ସଂପୃକ୍ତ ବ୍ୟକ୍ତି ଦାବି କରିଛନ୍ତି ଯେ ୟୁଏଇରେ ରହୁଥିବା ମହାଦେବ ବେଣ୍ଟି ଆପର ପ୍ରମୋଟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଛନ୍ତି । ଜେରା ବେଳେ ଜବତ ହୋଇଥିବା ୫ କୋଟିରୁ ଅଧିକ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ରଖିଥିଲେ ସଂପୃକ୍ତ କୋରିୟର ସଂସ୍ଥାର ବ୍ୟକ୍ତି ଜଣକ ଇଡିକୁ କହିଛନ୍ତି । ତେବେ ଇଡିର ଏହି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ । ସେପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ନିହାତି ଲଜ୍ଜାଜନକ ।