ସାମ୍ପ୍ରଦାୟିକ ଦଙ୍ଗା ପରେ କାନାଡାରେ ଥିବା ଭାରତୀୟଙ୍କୁ ସତର୍କ କଲା ବୈଦେଶିକ ମନ୍ତ୍ରଣାଳୟ

85

କନକ ବ୍ୟୁରୋ : ହେଟ ସ୍ପିଚ ତଥା ଘୃଣାଭାଷଣକୁ ନେଇ କାନାଡାରେ ଦେଖାଦେଇଛି ସାମ୍ପ୍ରଦାୟିକ ଦଙ୍ଗା । ଏହାକୁ ନେଇ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସତର୍କ କରାଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ   । ଶୁକ୍ରବାର ଏମଇଏ ପକ୍ଷରୁ କାନାଡାରେ ରହୁଥିବା ଭାରତୀୟମାନଙ୍କ ପାଇଁ ବିବୃତି ଜାରି କରି ସାବଧାନ ରହିବାକୁ କୁହାଯାଇଛି । କାନାଡାରେ ସମ୍ପ୍ରଦାୟକୁ ନେଇ ଚାଲିଥିବା ଦଙ୍ଗାରେ ଭାରତୀୟମାନଙ୍କ ଉପରେ ଆକ୍ରମଣ କରାଯାଉଛି । ତେଣୁ କାନାଡା ଯାଉଥିବା ଅବା ଆସୁଥିବା ଛାତ୍ରଛାତ୍ରୀ ଏବଂ ଭାରତୀୟମାନଙ୍କୁ ସତର୍କ ରହିବାକୁ ଏମଇଏ ପରାମର୍ଶ ଦେଇଛି । ଘଟିଥିବା ହିଂସାର ତଦନ୍ତ ପାଇଁ ଭାରତର ହାଇ କମିଶନ କାନାଡା ଅଧିକାରୀଙ୍କ ସହ ଯୋଗଯୋଗରେ ଥିବା ବିବୃତିରେ କୁହାଯାଇଛି । କିନ୍ତୁ ହିଂସା ବଢୁଥିବାରୁ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଭାରତୀୟ ହାଇ କମିଶନଙ୍କ ନିକଟରେ ପଞ୍ଜିକରଣ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୯ ତାରିଖରେ କିଛି ଚରମପନ୍ଥୀ  ନେତା ଭାରତୀୟଙ୍କ ବିରୋଧରେ ଖଲିସ୍ଥାନୀ ଆନ୍ଦେଳନ କରିଥିଲେ । ଏହା ପରେ ସେଠାରେ ଥିବା ଭାରତୀୟଙ୍କୁ ଅନ୍ୟ ଗୋଷ୍ଠୀର ଚରମପନ୍ଥୀମାନେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।