ବିଷ ବେଉସାର ଲମ୍ବା ଚେର । ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ । କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ ।

71

କନକ ବ୍ୟୁରୋ: ଭୁବନେଶ୍ୱରରେ ସାପବିଷ କାରବାରର ଖୋଲୁଛି ସାଂଘାତିକ ସତ । ଶନିବାର କନକ ନ୍ୟୁଜର ଅଣ୍ଡରକଭର ରିପୋର୍ଟର ଏଭଳି କାରବାର ପର୍ଦ୍ଦାଫାସ କରିବା ପରେ ବନବିଭାଗର ନିଦ ହଜିଯାଇଛି ଆଉ ଆରମ୍ଭ ହୋଇଛି ଖୋଳତାଡ । ଆଶଙ୍କା କରାଯାଉଛି, ଏହି ପୂରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥାଇପାରେ । ଭୁବନେଶ୍ୱରରୁ ସାପ ବିଷ ଚୀନ ଓ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ ବି ଘନୀଭୂତ ହୋଇଛି ଆଉ ଏହାର ମୁଖ୍ୟ ପେଣ୍ଠସ୍ଥଳୀ କୋଲକାତା ବୋଲି ଜଣାପଡିଛି ।

ଏବେ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାହୁଁଛି ବନ ବିଭାଗ । ଏଥିପାଇଁ ୱାଇଲଡ ଲାଇଫ ପିସିସିଏଫଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସିଟି ଡିଏଫଓ । ଅଧିକ ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥା ୱାଇଲଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରେକ ଏକ ଟିମ୍ ବି ଆସିପାରେ । କନକ ନ୍ୟୁଜର ପର୍ଦ୍ଦାଫାସ ପରେ ଶନିବାର ଦିନ ଜଣେ ମହିଳାଙ୍କ ସମେତ ୬ ଜଣ ସାପ ବିଷ ଦଲାଲକୁ ଗିରଫ କରିବା ସହ ୧ ଲିଟର ୩୦୦ ମିଲିଲିଟର ବିଷ ଜବତ କରିଥିଲା ବନ ବିଭାଗ । ଯାହାର ମୂଲ୍ୟ ଦେଶରେ ଏକ କୋଟି ଓ ଅନ୍ତର୍ଜାତୀୟ ବଜାରରେ ୧୦ କୋଟି ହେବ ବୋଲି ଅନୁମାନ ଲଗାଯାଇଛି ।

Comments are closed.