ହୀରାକୁଦ ଜଳଭଣ୍ଡାରରେ ଲାଗିଛି ବିଦେଶ ପକ୍ଷୀଙ୍କ ଭିଡ । ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ମାଲଦୀପରୁ ଉଡି ଜଳକ୍ରୀଡା କରୁଛନ୍ତି ବିଦେଶୀ ବିହଙ୍ଗ ।

349

କନକ ବ୍ୟୁରୋ: ହୀରାକୁଦ ନଦୀବନ୍ଧ ବିସ୍ତାର ଜଳରାଶିକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହେଲାଣି । ହୀରାକୁଦ ନଦୀବନ୍ଧ ଜଳରାଶିକୁ ଲାଗି ରହିଥିବା ବିଭିନ୍ନ ଅଂଚଳରେ ବିଦେଶୀ ପକ୍ଷୀ ଦେଖା ଗଲେଣି । ଏପଟେ ସେମାନଙ୍କୁ ସୁରକ୍ଷା ଯୋଗାଇବା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଅତିଥିଙ୍କୁ ସ୍ୱାଗତ କରୁଛି ହୀରାକୁଦ ଜଳଭଣ୍ଡାର । ନୀଳ ଜଳ ରାଶିରେ ଦଳଦଳ ହୋଇ ଜଳକ୍ରୀଡା କରୁଛନ୍ତି ସମ୍ବଲପୁରକୁ ଆସିଥିବା ବିଦେଶୀ ପକ୍ଷୀ । ଆକାଶ ମାର୍ଗରେ ହଜାର ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ପଶ୍ଚିମ ଏସିଆ, ୟୁରୋପ, ମାଲଦୀପ, ଅଷ୍ଟ୍ରେଲିଆ, ଆଫ୍ରିକାରୁ ହୀରାକୁଦକୁ ଆସିଛନ୍ତି ଏହି ପକ୍ଷୀମାନେ । ଏବେ ସୁଦ୍ଧା ୮୦ରୁ ଅଧିକ ପ୍ରଜାତିର ପକ୍ଷୀ ଜଳଭଣ୍ଡାରକୁ ଆସି ସାରିଛନ୍ତି । ଧିରେ ଧିରେ ଶୀତ ବଢିବା ସହ ଏମାନଙ୍କ ସଂଖ୍ୟା ବି ବଢିବ ବୋଲି ଆଶା କରାଯାଉଛି ।

ବିଶ୍ୱର ସବୁଠାରୁ ବଡ ମାଟି ବନ୍ଧର ଜଳଭଣ୍ଡାରରେ ବର୍ତମାନ କମନ କୋଟ୍, ଗୁଲ୍ ଭଳି ଅନେକ ପକ୍ଷୀଙ୍କ ଗହଳି ଲାଗିଛି । ପକ୍ଷୀମାନଙ୍କ ଆଗମନ ଦେଖି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଛି । ହୀରାକୁଦ ଡ୍ୟାମ, କେନାଲ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ୩୦ ଜଣ କର୍ମଚାରୀ ବୋଟ୍ ମାଧ୍ୟମରେ ଜଳଭଣ୍ଡାରରେ ଅତିଥିଙ୍କୁ ସୁରକ୍ଷା ଦେଉଛନ୍ତି । ସେପଟେ ଅନେକ ସମୟରେ କିଛି ଅସାଧୁ ବ୍ୟକ୍ତି ପକ୍ଷୀ ଶିକାର କରି ବିକ୍ରି କରୁଥିବାର ଅଭିଯୋଗ ହୁଏ, ତେଣୁ ତା’ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଡିଏଫଓ କହିଛନ୍ତି । ବିଦେଶୀ ପକ୍ଷୀ ଆସିବା ପରେ ହୀରାକୁଦକୁ ପର୍ଯ୍ୟଟକଙ୍କ ଭିଡ ବଢିବ । ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀଗଣନା ମଧ୍ୟ ଆରମ୍ଭ ହେବ । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ଏହି ମନୋରମ ଦୃଶ୍ୟର ମଜା ନେଇଥାନ୍ତି ।