କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । କେଉଁଠି ଅସହ୍ୟ ଗୁଳୁଗୁଳି କେଉଁଠି ତତଲା ପବନରେ ସନ୍ତୁଳି ହେଉଛନ୍ତି ଲୋକେ । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର ୫-୬ଟି ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଦିନ ୧୧ଟା ପରେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
କିଛିଦିନ ହେଲା ପ୍ରବଳ ଖରା ଓ ସୂର୍ଯ୍ୟ ତାପରେ ସନ୍ତୁଳି ହେଉଛି ସାରା ଓଡିଶା । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଦିନ ୧୧ଟାରୁ ୩ଟା ଭିତରେ ଆକାଶରୁ ନିଆଁ ବର୍ଷୁଛି । ବାହାରକୁ ବାହାରିଲେ ଖରା ତାତିରେ ଦେହ, ମୁହଁ ଶିଝି ଯାଉଛି । ଉତର-ପଶ୍ଚିମ ଓ ପଶ୍ଚିମ ଗରମ ବାୟୁ ପ୍ରବାହିତ ହେବା ତାତି ବଢିବାର କାରଣ କୁହାଯାଉଥିବାବେଳେ କାଳବୈଶାଖୀ ବର୍ଷାର ଦେଖାନାହିଁ ।
ଅନ୍ୟପଟେ ଆଂଚଳକି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆଗାମୀ ୨ ଦିନ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ଆଶଙ୍କା । ଏଭଳି ସ୍ଥିତି ଏପ୍ରିଲ ଶେଷ ପର୍ଯ୍ୟନ୍ତ ରହିପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପ୍ରଚଣ୍ଡ ସୂର୍ଯ୍ୟତାପ ସାଙ୍ଗକୁ ଗରମ ବାୟୁ ପ୍ରବାହ ଫଳରେ ସୋମବାର ତାତିରେ ଆଉଟୁ ପାଉଟୁ ହୋଇଛି ଆଭ୍ୟନ୍ତରୀଣ ଓଡିଶା । ଅନୁଗୁଳ, ଖୋର୍ଦ୍ଧା, କଟକ, ନୟାଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମତାପ ଅନୁଭୂତ ହୋଇଛି । ୨୬ ଏପ୍ରିଲ ଅର୍ଥାତ ମଙ୍ଗଳବାର ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୁଳ ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ସେହିପରି ୨୭ ତାରିଖ ଅର୍ଥାତ ବୁଧବାର ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୁଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଦିନ ୧୧ଟାରୁ ୩ଟା ମଧ୍ୟରେ ସୂର୍ଯ୍ୟତାପ ଅଧିକ ରହୁଥିବାରୁ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ବାହାରକୁ ନବାହାରିକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଛୋଟପିଲା, ବୟସ୍କ ଓ ରୋଗୀମାନଙ୍କୁ ଖରାରୁ ଦୂରେଇ ରହିବାକୁ କୁହାଯାଇଛି । ଏପଟେ ପ୍ରବଳ ଖରା ଗରମକୁ ଦୃଷ୍ଟିରେ ରଖି ସରକାର ଆଗୁଆ ୫ ଦିନ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି । ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହାବାଦ୍ ଖରାରେ ଫସଲ ଓ ପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କା ଥିବାରୁ ଏହି ସମୟରେ ଆବଶ୍ୟକ ଜଳ ସେଚନ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।