ପାଣି ବଞ୍ଚାଇବା ପାଇଁ ରେଳବାଇର ନୂଆ ପଦକ୍ଷେପ ! ଟ୍ରେନରେ ଲାଗିବ ସେନ୍ସର ଯୁକ୍ତ ନଳ ଏବଂ ଟ୍ୟାପ ।

61

ଜଳ ହିଁ ଜୀବନ । ଜଳ ବିନା ବଞ୍ଚିବା ଅସମ୍ଭବ । କିନ୍ତୁ ଆଜିର ସମୟରେ ଜଳ ନଷ୍ଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ପାଣି ବଞ୍ଚାଇବା ପାଇଁ ଭାରତୀୟ ରେଳବାଇ ଏକ ନୂଆ ପଦକ୍ଷେପ ନେଇଛି । ଟ୍ରେନରେ ପାଣିର ସମସ୍ୟାକୁ ରୋକିବା ପାଇଁ ମଧ୍ୟତଟ ରେଳବାଇ ଏବଂ ପଶ୍ଚିମତଟ ରେଳବାଇ ତରଫରୁ ଆରମ୍ଭ ହୋଇଛି ଏକ ନୂଆ ଯୋଜନା । ପ୍ରାୟତଃ ଖରାଦିନେ ଟ୍ରେନରେ ପାଣିର ସମସ୍ୟା ଦେଖା ଯାଇଥାଏ । ଟ୍ରେନ ଯେଉଁ ଷ୍ଟେସନରେ ଆସି ଅଟକି ଥାଏ ସେଠାରେ ଟ୍ରେନର ଟାଙ୍କିରେ ପାଣି ଭରା ଯାଇଥାଏ । କିନ୍ତୁ କିଛି ବାଟ ଯିବା ପରେ ଟ୍ରେନରୁ ପାଣି ସରିଯାଉଥିବାର ଅନେକ ଥର ଅଭିଯୋଗ ମଧ୍ୟ ହୋଇ ଆସିଛି । ଏହାକୁ ଦୃଷ୍ଟିରେ ରଖି ବାରତୀୟ ରେଳବାଇ ଆରମ୍ଭ କରିଛି ନୂଆ ଯୋଜନା ।

ସୂଚନା ଅନୁଯାୟୀ, ରେଳବାଇର ଯାଞ୍ଚରୁ ଜଣାପଡିଛି, ଟ୍ରେନରେ ଯେଉଁ ୱାସ ବେସିନ ଲାଗିଥାଏ ତାହା ବର୍ଷ ବର୍ଷ ଧରି ଚେଞ୍ଚ ହୋଇନଥାଏ । ଏବଂ ପାଣି ପାଇପ ଗୁଡିକୁ ମଧ୍ୟ ପରିବର୍ତ୍ତନ କରାଯାଇନଥାଏ । ତେଣୁ ସେଥିରେ କଳଙ୍କି ଲାଗିବା କାରଣରୁ ସେଥିରୁ ପାଣି ଲିକ ହୋଇ ସବୁ ପାଣି ନଷ୍ଟ ହୋଇଯାଇଥାଏ ।

ମଧ୍ୟତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁନିଲ ଉଦାସିଙ୍କ କହିବା ଅନୁସାରେ ପାଣି ବଞ୍ଚାଇବାର ଏହି ଯୋଜନା ପ୍ରଥମେ ମୁମ୍ବାଇରୁ ଗୋଆ ଯାଉଥିବା ଟ୍ରେନ ତେଜସ ଏକ୍ସପ୍ରେସରୁ ଆରମ୍ଭ କରାଯାଇଛି । ତେଜସ ଏକ୍ସପ୍ରେସ ନଂ ୨୨୧୧୯ ଏବଂ ୨୨୧୨୦ ଟ୍ରେନରେ ପ୍ରଥମେ ପାଣିକୁ ବଞ୍ଚାଇବା ପାଇଁ ସେନ୍ସସର ପାଇପ ଲଗାଯାଇଛି । ଯାହା ଦ୍ୱାରା ପୂର୍ବରୁ ନଷ୍ଟ ହେଉଥିବା ପାଣିକୁ ରୋକାଯାଇ ପାରିବ । ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ ପୂର୍ବରୁ ଲାଗିଥିବା ପାଇପରୁ ୧ ମିନିଟରେ ୮ ଲିଟର ପାଣି ନିଷ୍କାସିତ ହୋଇଯାଉଥିଲା । କିନ୍ତୁ ଏହି ସେନ୍ସସର ପାଇପ ଲାଗିବା ପରେ ୧ ମିନିଟରେ ମାତ୍ର ୨ ରୁ ୩ ଲିଟର ପାଣି ନିଷ୍କସିତ ହେଉଛି । ତେଣୁ ଭାରତୀୟ ରେଳବାଇ ତରଫରୁ ଖୁବ ଶିଘ୍ର ଏହି ବ୍ୟବସ୍ଥା ସମସ୍ତ ଟ୍ରେନରେ ଲାଗୁ କରାଯିବ ବୋଲି ଜଣାପଡିଛି ।