କନକ ବ୍ୟୁରୋ: ରାଜଧାନୀରେ ତିନି ଦିନ ହେଲା ପାଣି ପାଇଁ ଘାଂଟି ହୋଇଛନ୍ତି । ମାଟିତଳେ ପାଇପ୍ ଫାଟି ଯିବାରୁ ଭୁବନେଶ୍ୱରର ଅଧା ଅଂଚଳକୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି । ୱାଟକୋ ପକ୍ଷରୁ ଟ୍ୟାଙ୍କର ଯୋଗେ ଯେଉଁ ପାଣି ଯୋଗାଇ ଦିଆଯାଇଛି । ହେଲେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇନଥିବାରୁ ଅସନ୍ତୋଷ ବଢିଛି । ଆଜି ଫାଟିଥିବା ପାଇପର ମରାମତି କରାଯାଇଥିବାରୁ ଶୀଘ୍ର ପାଣି ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

Advertisment

ରାସ୍ତାରେ ପାଣି ଟ୍ୟାଙ୍କର ଲାଗିଛି, ଲୋକଙ୍କ ଗହଳି ଜମିଛି । ଘଂଟା ଘଂଟା ଧାଡିରେ ଆସି ଲୋକେ ବାଲଟି ଗରା ଧରି ପାଣି ପାଇଁ ଅପେକ୍ଷା କରୁଛନ୍ତି । କୌଣସି ଉପାନ୍ତ ଅଂଚଳ ନୁହେଁ, ସରକାରଙ୍କ ଡ୍ରିଙ୍କ ଫର ଟ୍ୟାପ କାର୍ଯ୍ୟକାରୀ ହେଉଥିବା ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି ଏହି ଚିନ୍ତାଜନକ ଦୃଶ୍ୟ ।

ଘରେ ଟ୍ୟାପ ଖୋଲିଲେ ପାଣି ଆସୁନି । ବାଲଟି, ଗରା ସବୁ ଖାଲି ପଡିଛି । ନିତ୍ୟକର୍ମ, ରୋଷେଇ, ଘର କାମ କଥା ଛାଡନ୍ତୁ ପିଇବା ପାଇଁ ମଧ୍ୟ ପାଣି ନାହିଁ । ପହରେ କି ଦୁଇ ପହର ନୁହେଁ ଦୁଇ ଦିନ ହେଲା ରାଜଧାନୀର ଅଧା ଅଂଚଳ ଶୋଷରେ ରହିଛନ୍ତି । ପଳାସୁଣୀ, ରସୁଲଗଡ, ମଂଚେଶ୍ୱର, ବାଣୀବିହାର, ଲକ୍ଷ୍ମୀସାଗର, ଆଚାର୍ଯ୍ୟନଗର, ସତ୍ୟନଗରରେ ପାଣି ପାଇଁ ହାହାକାର ପଡିଛି । ଜଳ ଯୋଗାଣ ବନ୍ଦ ହୋଇଯିବାରୁ ୱାଟ୍କୋ ଡିଭିଜନ୍-୧ ଅଧିନରେ ଥିବା ପ୍ରାୟ ୮୦ ହଜାର ପରିବାର ହଇରାଣ ହୋଇଛନ୍ତି ।

କୁଆଖାଇରୁ ପାଣି ଉଠାଉଥିବା ପାଇପ ମାଟି ତଳେ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଲୋକଙ୍କ ଶୋଷକୁ ପରିହାସ କଲା ଭଳି ୱାଟକୋ ପକ୍ଷରୁ ୮୦ ହଜାର ପରିବାରକୁ ୧୩ଟି ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଇଛି । ଆଉ ଲୋକେ ଟ୍ୟାଙ୍କର ପାଖରେ ଭିଡ ଜମାଇ, ଧାଡିରେ ଆସି ବାଲଟି ବାଲଟି ପାଣି ଘରକୁ ବୋହିଛନ୍ତି ।

ରାଜଧାନୀରେ ପାଣି ସମସ୍ୟା ପାଇଁ ଲୋକଙ୍କୁ କ୍ଷମା ମାଗିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । କହିଛନ୍ତି ୱାଟକୋ ଡିଭିଜନ-୧ରେ ଫାଟିଥିବା ପାଇପର ମରାମତି କରାଯାଇଛି, ଖୁବ ଶୀଘ୍ର ଜଳ ଯୋଗାଣ ସ୍ୱାଭାବିକ ହେବ ।