ସାତକୋଶିଆରେ ବନ ବିଭାଗର ବଡ଼ ଯୋଜନା । ଗାଁରୁ ହଟିବେ ଲୋକ, ଆସିବ ବାଘ । ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ

105

କନକ ବ୍ୟୁରୋ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ କରାଯାଉଥିବା ବିସ୍ଥାପନ ବିରୋଧରେ ରଣହୁଙ୍କାର । ବନବିଭାଗ ବେଆଇନ ଭାବେ ଲୋକଙ୍କୁ ବିସ୍ଥାପନ କରୁଛି । ବାଘ ଆଣିବା ଆଳରେ ଗାଁରୁ ନିରିହ ଲୋକଙ୍କୁ ତଡି ଦେବାକୁ ଉଦ୍ୟମ କରାଯାଉଛି । ପୁଣି ବିନା ପଲ୍ଲୀସଭା ଓ ଗ୍ରାମସଭାରେ । ଅଳ୍ପ କିଛି ଲୋକଙ୍କୁ ହାତ ବାରିସ କରି ପ୍ରକଳ୍ପରୁ ବାଦ ପଡିଥିବା ଗାଁକୁ ବିସ୍ଥାପନ କରାଯାଉଥିବା ଅଭିଯୋଗ ହୋଇଛି । ବିସ୍ଥାପନକୁ ବିରୋଧ କରୁଥିବା ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଯୋଜନା କରି ୨୦୧୮ରେ ଦୁଇଟି ପର୍ଯ୍ୟାୟରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ତେବେ ପରବର୍ତୀ ସମୟରେ ମହାବୀରର ମୃତ୍ୟୁ ଓ ସୁନ୍ଦରୀ କାହ୍ନା ଫେରିଯିବା ସହ ସ୍ଥଗିତ ରହିଛି ପ୍ରକଳ୍ପ । ଏବେ ପୁଣି ସେହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ସାତକୋଶିଆ କର୍ତୃପକ୍ଷ । ଏଥିପାଇଁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଇଗୁଡା ଗାଁକୁ ବିସ୍ଥାପନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅସନବାହାଳ, କଟରଙ୍ଗ, ଟୁଲୁକା ଗାଁକୁ ବିସ୍ଥାପନ କରାଯାଇଛି । ଆଗାମୀ ଦିନରେ ବୁରୁକୁଣ୍ଡି ଗାଁକୁ ବିସ୍ଥାପନ କରିବାକୁ ଯୋଜନା କରୁଛି ବନ ବିଭାଗ । ତେବେ ଏହାକୁ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ବିରୋଧ କରୁଥିବା ବେଳେ କିଛି ଗ୍ରାମବାସୀ ସମର୍ଥନ କରିଛନ୍ତି । ବିସ୍ଥାପନ ସପକ୍ଷରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରର୍ଯ୍ୟାୟ କ୍ରମେ ପଦକ୍ଷେପ ନିଆଯାଉଛି । ଆଉ ଏତିକି ବେଳେ ବିସ୍ଥାପନକୁ ନେଇ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ ହେବା ବନ ବିଭାଗ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।