ଟିକାକରଣରେ ନୂଆ ରେକର୍ଡ : ୧୧ ଦିନରେ ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ

ସୋମବାର ଦିଆଗଲା କୋଟିଏ ୫ ଲକ୍ଷରୁ ଅଧିକ ଟିକା; ଦେଶରେ ମୋଟ ଟିକାକରଣ ଛୁଇଁଲା ୭୦ କୋଟି

145

କନକ ବ୍ୟୁରୋ : ଦେଶରେ ୧୧ ଦିନ ଭିତରେ ତୃତୀୟ ଥର ପାଇଁ କରୋନା ଟିକା କୋଟିଏ ଟପିଛି । ସୋମବାର ଦେଶରେ ୧ କୋଟି ୫ଲକ୍ଷରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଲେଖିଛନ୍ତି ସେପ୍ଟେମ୍ବର ମାସରେ ଅଦ୍ଭୂତପୂର୍ବ ଦ୍ରୁତ ଟିକାକରଣ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ବିଶ୍ୱର ସବୁଠୁ ବଡ ଟିକାକରଣ କାର୍ଯ୍ୟକ୍ରମ ଶିଖରକୁ ଛୁଇଁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତକାଲି ସୁଦ୍ଧା ୬୯ କୋଟି ୬୮ ଲକ୍ଷ ଡୋଜ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ୫୩ କୋଟି ୨୯ ଲକ୍ଷ ୨୭ ହଜାର ୨୦୧ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ଆଉ କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବା ଲୋକଙ୍କୁ ସଂଖ୍ୟା ହେଉଛି, ୧୬ କୋଟି ୩୯ ଲକ୍ଷ ୬୯ ହଜାର ୧୨୭ ଜଣ । ସେହିପରି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ୨୭ କୋଟି ୬୪ ଲକ୍ଷ ୧୦ ହଜାର ୬୯୪ ଏବଂ ଦୁଇଟି ଡୋଜ ନେଇଥିବା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୩ କୋଟି ୫୭ ଲକ୍ଷ ୭୬ ହଜାର ୭୨୬ । ଦେଶରେ ବର୍ତମାନ ସୁଦ୍ଧା ଦୈନିକ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

କରୋନାର ମୁକାବିଲାରେ କରୋନା ଟିକାକୁ ଏକ ବଡ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ସେପଟେ ବିଶ୍ୱରେ ଦୁଇଟି ନୂଆ ପ୍ରଜାତିର କରୋନା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ତେଣୁ ଦ୍ରୁତ ଟିକାକରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏପରି ସମୟରେ ୧୧ ଦିନ ଭିତରେ ତୃତୀୟ ଥର ପାଇଁ କୋଟିଏ ଟିକାକରଣକୁ ବଡ ସଫଳତା ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।