କନକ ବ୍ୟୁରୋ: ଶ୍ରୀଲଙ୍କାରେ ଶୁକ୍ରବାର ମଧ୍ୟରାତିରୁ ଦେଶରେ ପୁଣି ଥରେ ଜରୁରୀକାଳିନ ପରିସ୍ଥିତ ଜାରି ହୋଇଛି । ଶୁକ୍ରବାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ । ଦେଶରେ ଆର୍ଥିକ ସଂକଟକୁ ନେଇ ଲାଗିରହିଥିବା ସରକାରୀ ବିରୋଧୀ ବିକ୍ଷୋଭକୁ ନିୟନ୍ତ୍ରଣ କରିବାକୁ ଯାଇ ଏହି ନିଷ୍ପତି ନିଆଯାଇଛି । ଫଳରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେନା ଓ ପୁଲିସ କର୍ମଚାରୀଙ୍କୁ ଅଧକ କ୍ଷମତା ମିଳିବ ।

Advertisment

ଆର୍ଥିକ ସଂକଟକୁ ନେଇ ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷଙ୍କ ଇସ୍ତଫା ଦାବିରେ ଶୁକ୍ରବାରଠାରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲା ଟ୍ରେଡ ୟୁନିଅନ । ତେଣୁ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଏହି ନିଷ୍ପତି ନିଆଯାଇଥିବା କହିଛନ୍ତି ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର । ରାଷ୍ଟ୍ରପତିଙ୍କ ଜରୁରୀକାଳୀନ ପରିସ୍ଥିତି ଏପରି ସମୟରେ ଘୋଷଣା ହୋଇଛି, ଯେତେବେଳେ ଦେଶରେ ଛାତ୍ର ସଂଗଠନ ସଂସଦ ଘେରାଉ କରିବା ପାଇଁ ଚେତାବନୀ ଦେଇଥିଲେ । ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଂକଟ ସହ ଯୁଝୁଥିବା ବେଳେ ଲୋକେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି, ଯେଉଁଥିପାଇଁ ସରକାରୀ ବିରୋଧୀ ବିକ୍ଷୋଭ ତେଜିବାରେ ଲାଗିଛି ।