କନକ ବ୍ୟୁରୋ: କେରଳ ରାଜନୈତିକ ଇତିହାସରେ ସୃଷ୍ଟି ହୋଇପାରେ ନୂଆ ଅଧ୍ୟାୟ । ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରେ ଏଲଡିଏଫ । କାରଣ ବର୍ତ୍ତମାନ ଚାଲିଥିବା ଭୋଟ ଗଣତିର ସଂଖ୍ୟା ଯାହା କହୁଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରନ୍ତି ପିନରାଇ ବିଜୟନ । କେରଳର ୧୪୦ ବିଧାନସଭା ଆସନରୁ ଏବେ ସୁଦ୍ଧା ଏଲଡିଏଫ ୮୮ଟି ସିଟରେ ବିଜୟୀ ହୋଇଥିବା ବେଳେ ୟୁଡିଏଫ ୪୬ ସିଟ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଆମେ କେରଳର ରାଜନୈତିକ ଇତିହାସ ଦେଖିବା ତେବେ ଗତ ୪୦ ବର୍ଷ ମଧ୍ୟରେ କୌଣସି ଦଳ ଲଗାତାର ସରକାର ଗଠନ କରିନାହାନ୍ତି । ୧୯୮୧ ମସିହାରୁ ପ୍ରତି ୫ ବର୍ଷରେ ଥରେ ସରକାର ବଦଳି ଥାଏ । ସେହପରି ୧୯୮୧ ମସିହା ପୂର୍ବରୁ ମଧ୍ୟ କୌଣସି ଦଳ ଲଗାତାର ସରକାର ଗଠନ କରିବାରେ ସଫଳ ହୋଇ ନାହାନ୍ତି । ହେଲେ ଏଥର କିନ୍ତୁ ଇତିହାସ ବଦଳାଇ ପାରନ୍ତି ପିନରାଇ ବିଜୟନ ।
୨୦୧୬ ମେ ୨୫ରୁ କେରଳରେ ସରକାର ଗଠନ କରିଥିଲେ ଏଲଡିଏଫର ପିନରାଇ ବିଜୟନ । ସମସ୍ତେ ଜାଣିଥିଲେ ୫ ବର୍ଷ ପରେ ପୁଣି ସରକାର ବଦଳିବ । ହେଲେ ସେହି ରାଜନୈତିକ ଚିନ୍ତା ଧାରାକୁ ଏବେ ବଦଳାଇବାକୁ ଯାଉଛନ୍ତି ବିଜୟନ । ହେଲେ ଏହା କିପରି ସମ୍ଭବ କଲେ ପିନାରାଇ ବିଜୟନ ? ଏତେ ବର୍ଷର ପରମ୍ପରାକୁ ନୂଆ ଦିଗ ଦେଖାଇବାରେ କେଉଁ କାମ ତାଙ୍କୁ ସହାୟତା କଲା ।
ତେବେ ପଛ କଥା ଚିନ୍ତା କଲେ ପିନାରାଇ ବିଜୟନଙ୍କ ସଫଳତାର ମନ୍ତ୍ର ନଜର ଆସିବ । ଯେତେବେଳେ ଦେଶର ପ୍ରଥମ କୋଭିଡ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଥିଲା । ଆଉ ଏହାପରେ କେରଳରେ ମାଡି ଚାଲିଥିଲା ସଂକ୍ରମଣ । ସେତେବଳେ କିଭଳି କରୋନାକୁ ସାମ୍ନା କରିଥିଲା ରାଜ୍ୟ । ଆଉ ଖୁବ କମ ସମୟ ମଧ୍ୟ ସଂକ୍ରମଣ ସଂଖ୍ୟା କମ କରି ସାରା ଦେଶ ପାଇଁ ମଡେଲ ରାଜ୍ୟ ପାଲଟିଥିଲା । ତେବେ କହିପାରିବା ଏହା ଏକ ମୁଖ୍ୟ କାରଣ ପିନାରାଇଙ୍କ ସଫଳତା ପାଇଁ ।
କୋଭିଡ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଅର୍ଥନୀତିକୁ ଅଧିକ ଗୁରୁତ୍ୱ ଦେଇଥିଲେ ପିନାରାଇ ବିଜୟନ । ସଂକ୍ରମଣ ସମୟରେ ସନ୍ତୁଳନ ରକ୍ଷା କରି ମହାମାରୀ ବିରୋଧରେ ଲଢେଇ କରିଥିଲେ । ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୁଏତ ତାଙ୍କୁ ଏହି ସଫଳତା ଦେଇପାରେ ।