କନକ ବ୍ୟୁରୋ: ଗରିବଙ୍କ ପାଇଁ ଆବାସ ଯୋଜନା ପାଲଟିଛି ପ୍ରହସନ । ସରକାରଙ୍କ ଏହି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଜଣାଇବା ପରେ ବି ନିରାଶ ହୋଇ ରହିଛନ୍ତି ପରିବାର । ଖାଲି ସେତିକି ନୁହେଁ ଗାଁର ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଜନାରୁ ବଂଚିତ କରାଯାଇଥିବା ବେଳେ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ କରାଯାଇ ମିଳୁଛି ସହଯୋଗ । କଳାହାଣ୍ଡି ଜୁନାଗଡ ଦାସୀ ଗାଁ ପଂଚାୟତର ତାଲପଦା ଗାଁର କିଛି କରୁଣ ଚିତ୍ର ସାମନାକୁ ଆସିଛି । ଭଙ୍ଗା ଦଦରା ମାଟି ଘରେ ଜଣେ ବୃଦ୍ଧା ଓ ତାଙ୍କ ପରିବାର ରୁହନ୍ତି । ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ପାଇଁ ବହୁବାର ଜଣାଇଛନ୍ତି । ହେଲେ ତାଙ୍କର ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଗାଁର ଥିଲାବାଲାଙ୍କୁ ଯୋଜନାରେ ସାମିଲ କରାଯାଇ ଘର ଦିଆଯାଉଛି । ହେଲେ ଦୁଃଖ କଷ୍ଟରେ ଭଙ୍ଗା ଦଦରା ଘରେ ରହୁଥିବା ଲୋକ କିନ୍ତୁ ଏହି ଆବାସ ଯୋଜନାରୁ ବାଦ୍ ପଡୁଛନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି କୌଣସି ଗୁରୁତ୍ୱ ଦିଆଯାଉନି ।

ଭଙ୍ଗା ଘରେ ଜଣେ ଦିବ୍ୟାଙ୍ଗଙ୍କ ପରିବାର । ତାଙ୍କର ମୃତ୍ୟୁ ପରେ ସେହି ଭଙ୍ଗା କୁଡିଆରେ ୬ ଜଣ ପ୍ରାଣୀ ପଡିରହିଛନ୍ତି ଅସହାୟ ହୋଇପଡିଥିବା ମହିଳା ଜଣକ ଦୁଃଖ ଜଣାଇବେ କାହାକୁ? ଜଣକ ପରେ ଜଣେ ଭୋଟ୍ ପାଇଁ ଚାଲି ଆସୁଛନ୍ତି । ପ୍ରତିଥର ଭଳି ଚଳିତଥର ବି ମିଳିଛି ପ୍ରତିଶ୍ରୁତି । ହେଲେ ସବୁ ପ୍ରତିଶ୍ରୁତି ଯେମିତି ପାଣିର ଗାର ଭଳି । ମିଥ୍ୟା ପ୍ରତିଶ୍ରୁତି ଦେଇ ସବୁ ନିଜ ରାସ୍ତାରେ ଚାଲିଯାଉଥିବା ବେଳେ ନିରାଶ ହୋଇ ପଡିରହିଛନ୍ତି ଏହି ହିତାଧିକାରୀ । ମାଳ ମାଳ ପ୍ରତିଶ୍ରୁତି ଭିତରେ କୋହଭରା କଣ୍ଠରେ ପ୍ରତିବାଦ କରିଛନ୍ତି ।

ପ୍ରତିଥର ପ୍ରତିଶ୍ରୁୁତି ଦିଆଯାଉଛି । ହେଲେ ଘର ଖଣ୍ଡିଏ ମିଳିପାରୁନି ଏହି ଅସହାୟ ପରିବାକୁ । ତେଣୁ ଏଥିପ୍ରତି ଗୁରୁତ୍ୱ ଦେଇ ଘର ଯୋଗାଇ ପାରିଲେ ପରିବାର ଉପକୃତ ହୋଇପାରିବେ ।