କନକ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ପାଇଁ ହାତୀ ଶରୀରରେ ଲାଗିଲା ରେଡିଓ କଲାର । ହାତୀ ଗତିବିଧି ଉପରେ ନଜର ରଖିବାକୁ ପ୍ରଥମ ଥର ଲାଗି ଦନ୍ତାହାତୀ ଶରୀରରେ ରେଡିଓ କଲାର ଲଗାଯାଇଛି । ଏହାଦ୍ୱାରା ସାଟେଲାଇଟ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯାଇପାରିବ । ଅନୁଗୁଳ ଫରେଷ୍ଟ ରେଞ୍ଜ ଛେଣ୍ଡିପଦା ଜଙ୍ଗଲରେ ଏକ ଆହତ ଦନ୍ତାହାତୀ ଶରୀରରେ ଏହି ରେଡିଓ କଲାର ଲଗାଯାଇଛି । ୯ ଦିନ ତଳେ ଏହି ଦନ୍ତାହାତୀ ଛେଣ୍ଡିପଦା ବନାଞ୍ଚଳରୁ ଠାବ ହୋଇଥିଲା । ହାତୀର ମୁଣ୍ଡରେ ୯ଟି ସ୍ଥାନରେ ଛୋଟ ବଡ କ୍ଷତ ଚିହ୍ନ ଥିଲା । ଏହାପରେ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯାଇଥିଲା । ତେବେ ୫ ଦିନର ଚିକିତ୍ସା ପରେ ସୁସ୍ଥ ହୋଇଛି ଦନ୍ତା ହାତୀ ଆଉ ବନ ଅଧିକାରୀ ଏହି ହାତୀଟିକୁ ମୁକ୍ତ କରିଛନ୍ତି । ଏବେ ରେଡିଓ କଲାର ଜରିଆରେ ବନ କର୍ମଚାରୀ ହାତୀଟି ଉପରେ ନଜର ରଖିବେ । ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି ହାତୀ ଶରୀରରେ ରେଡିଓ କଲାର ଲଗାଯିବ ପ୍ରଥମ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।