ମାଟି ନାହିଁ, ତଥାପି ବଢ଼ୁଛି ଗଛ । କେବଳ ପାଣିରେ ହେଉଛି ଚାଷ । ଓଡ଼ିଶାରେ ପ୍ରଥମ ଥର ପାଇଁ ହାଇଡ୍ରୋପୋନିକ୍ ପ୍ରଣାଳୀରେ ଚାଷ କରୁଛନ୍ତି ଆଶିଷ

472

କନକ ବ୍ୟୁରୋ : ବିନା ଜଳରେ ଜୀବିତି ରହିବା ଯେମିତି ମୁସକିଲ୍ ସେମିତି ବିନା ମାଟିରେ ଫସଲ କଥା ଚିନ୍ତା କରିବା ବି ଅସମ୍ଭବ । ହେଲେ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏମିତି କିଛି ଅସମ୍ଭ ସମ୍ଭବରେ ପରିଣତ ହୋଇଛି । ବିନା ମାଟିରେ ବି ଚାଷ କରି ଦେଖାଇଛନ୍ତି ଜଣେ  ଯୁବଚାଷୀ । ଯାହାଙ୍କ ନିଆରା ଚାଷ ପ୍ରଣାଳୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ମାଟି ନାହିଁ କିନ୍ତୁ ଚାଷ ହେଉଛିି ଆଉ ଗଛ ବି ବଢୁଛି । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାକୁ ବାସ୍ତବତାର ରୂପ ଦେଇଛନ୍ତି ୨୯ ବର୍ଷୀୟ ଯୁବ ଚାଷୀ ଆଶିଷ ମହାନ୍ତି । ବିନା ମାଟିରେ ବା ହାଇଡ୍ରୋପୋନିକ୍ ପ୍ରଣାଳୀ ଜରିଆରେ ବ୍ୟବସାୟ ଭିତ୍ତିକ ଚାଷ କରୁଛନ୍ତି ଆଶିଷ । ନିଜର ସ୍ୱତନ୍ତ୍ର ଫାର୍ମ କରି ବାହାରୁ ଆମଦାନି ହେଉଥିବା ଲିଫି ଭେଜିଟେବୁଲକୁ ଓଡ଼ିଶାରେ ଚାଷ କରିଛନ୍ତି ଜଗତସିଂହପୁର ପୌରାଚଂଳ ଅନ୍ତର୍ଗତ ସୁଜଙ୍ଗ ଗାଁର ଆଶିଷ ।

ଆଶିଷ ମୋଟା ଅଙ୍କର ଦରମା ପାଉଥିଲେ ବି ଆତ୍ମ ନିର୍ଭରଶୀଳ ଓ ବିଶେଷ କରି ଓଡିଶା ମାଟିରେ କିଛି ନା କିଛି କରିବା ପାଇଁ ଚେଷ୍ଟା କରୁଥିଲେ । ଏହାରି ଭିତରେ ହାଇଡ୍ରୋପୋନିକ୍ ବା ବିନା ମାଟିରେ ଚାଷ) ହେଉଥିବା ଜାଣି ସେ ଦିଗରେ ରିସର୍ଚ କରିଥିଲେ । ଏବଂ ଏହାପରେ ୟୁଟ୍ୟୁବରେ କେମିତି ଚାଷ ହେଉଛି ତାର ପ୍ରଣାଳୀକୁ ଦେଖିଥିଲେ । ପରେ ପରେ ଗତବର୍ଷ ଶୀତ ପ୍ରାରମ୍ଭରୁ ହିଁ ପ୍ରଥମ ଥର ପାଇଁ ନିଜର ଛାତ ଉପରେ ୮୦୦ ସ୍କୋୟାର୍ ଫୁଟରେ ୨୪ଶହ ଲିଫି ଭେଜିଟେବୁଲ୍ ଏବଂ ଏକ୍ଜୋଟିକ୍ ଭେଜିଟେବୁଲ୍ ଗଛ ଲଗାଇଥିଲେ । ଯେଉଁଥିରେ ଲିଫି ଭେଜିଟେବୁଲ୍- ଲାଟୁସ୍, ସିଲେରୀ, କେଲ୍, ପକ୍ଚୟ, ବେସିଲ୍ ଏବଂ ଏକ୍ଜୋଟିକ୍ ଭେଜିଟେବୁଲରେ ବେଲ୍ ପେପର, ବ୍ରୋକଲି ଓ ଚେରିଟମାଟୋ ଚାଷ କରିଥିଲେ । ତେବେ ଚାଷରେ ସଫଳ ହେବା ଏବଂ ବଜାରରେ ଏହାର ଚାହିଦା ଆଶିଷଙ୍କୁ ଆଗକୁ ବଢ଼ିବା ପାଇଁ ବାଟ ଦେଖାଇଥିଲା ।

ତେବେ ଆଶିଷଙ୍କ ବାପା ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ମା ହେଉଛନ୍ତି ଗୃହିଣୀ । ଜଗତସିଂହପୁର ଏସଭିଏମ୍ କଲେଜରେ ଯୁକ୍ତ ତିନି ବିଜ୍ଞାନ ବିଭାଗରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ବୁର୍ଲା ଭିମସାରରେ ରସାୟନ ବିଜ୍ଞାନରେ ଏମ.ଏସି କରିଛନ୍ତି । ଏହାପରେ ହାଇଦ୍ରାବାଦରେ ଚାକିରି କରୁଥିଲେ କିନ୍ତୁ ଓଡ଼ିଶା ମାଟିରେ ଆଉ ନିଜ ବାପା-ମାଆଙ୍କ ଆଖି ସାମ୍ନାରେ ରହିଛି ଏହି ନିଆରା ଚାଷ ପ୍ରଣାଳୀକୁ ଆପଣାଇଛନ୍ତି ଆଶିଷ । ଯାହାକୁ ନେଇ ବାପା-ମାଆ ମଧ୍ୟ ବେଶ୍ ଖୁସି ଅଛନ୍ତି ।

ବର୍ତ୍ତମାନ ଆଶିଶ ନିଜ ଘର ନିକଟରେ ସ୍ୱତନ୍ତ୍ର ଭାବେ ପଲ୍ଲୀ ହାଉସ୍ ବା ଶୀତ ତାପ ନିୟନ୍ତ୍ରିତ ଘର) ତିଆରି କରି ଚାଷକୁ ଅଧିକ ବଢ଼ାଇଛନ୍ତି । ୨୩୦ ସ୍କୋୟାର ମିଟର ସ୍ଥାନରେ ୫ ହଜାର ଗଛ ଲଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । କମ୍ ପାଣି ଏବଂ ବିନା କେମିକାଲ ଓ ବିନା ପେଷ୍ଟିସାଇଡ୍ରେ ଚାଷ କରାଯାଉଛି ।  କେବଳ ପାଣିରେ ଚାଷ ହେଉଥିବାରୁ ଏଥିରେ ବିଶୁଦ୍ଧ ପାଣି ବ୍ୟବହାର କରାଯାଉଛି । ଏହି ଭେଜିଟେବୁଲର ଅନଲାଇନ୍ ଅର୍ଡର ବି ନେଉଛନ୍ତି । ଜଗତସିଂହପୁର ସମେତ କଟକ, ଭୁବନେଶ୍ୱର, ପୁରୀ, କେଉଁଝରର ବିଭିନ୍ନ ରେଷ୍ଟୁରାଣ୍ଟ, ତାରକା ହୋଟେଲ୍ ଓ ଘରୋଇ ଲୋକଙ୍କୁ ସପ୍ଲାଏ କରୁଛନ୍ତି । କେବଳ ଏତିକି ନୁହେଁ  ଲିଫି ଭେଜିଟେବୁଲ୍ ଏବଂ ଏକ୍ଜୋଟିକ୍ ଭେଜିଟେବୁଲର ଓଡ଼ିଶା ବାହାରେ ବି ଚାହିଦା ଥିବାରୁ ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନୀ କରୁଛନ୍ତି ଆଶିଷ ।