କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ପଂଜାବ, ମଧ୍ୟପ୍ରଦେଶ, କେରଳ ଓ ଛତିଶଗଡରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ବଢିଯାଇଛି ଚିନ୍ତା ।

Advertisment

୨୭ଦିନ ପରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୨୩ପରଠାରୁ ଆଜି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ପହଂଚିଛି । ଗତ ୨୪ ଘଂଟାରେ ଦେଶରେ ୧୩ହଜାର ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୯ଲକ୍ଷ ୭୭ହଜାର ୩୮୭ରେ ପହଂଚିଛି । ଅନ୍ୟପଟେ ୨୪ଘଂଟାରେ ୧୦୧ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ ।  ଦେଶରେ କରୋନା ସଂକ୍ରମଣରେ ମୋଟ୍ ୧ଲକ୍ଷ ୫୬ହଜାର ୨୧୨ଜଣଙ୍କ ମୃତ୍ୟୁ ହୋଇସାରିଛି ।  ସେହିପରି ଏବେ ସୁଦ୍ଧା ମୋଟ ଏକ କୋଟି ୬ଲକ୍ଷ ୭୮ହଜାର ୪୮ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ର, କେରଳ, ପଂଜାବ, ଛତିଶଗଡ ଓ ମଧ୍ୟପ୍ରଦେଶରେ ଦୈନନ୍ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱ।।ସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ମହାରାଷ୍ଟ୍ରରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଗତ ୨୪ଘଂଟା ଭିତରେ ମହାରାଷ୍ଟ୍ରରେ ୪୪ଜଣଙ୍କ ମୃତ୍ୟୁ ହେବା ସହ ୬ହଜାର ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳରେ ୪ହଜାର ୫ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଓ ୧୫ଜଣଙ୍କ ପ୍ରାଣ ନେଇଛି ମହାମାରୀ । ପଂଜାବରେ ୩୮୩ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ମଧ୍ୟପ୍ରଦେଶରେ ୨୯୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ କମିବା ଓ ଏହାପରେ କରୋନା ଟିକା ଆସିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ଏବେ କିନ୍ତୁ ସଂକ୍ରମଣ ବଢିବା ଯୋଗୁଁ ଚିନ୍ତା ବଢିଯାଇଛି । ଫଳରେ ସରକାର ସଚେତନ ରହିବା ସହ କଟକଣା ମାନିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

ମହାରାଷ୍ଟ୍ରରେ ବଢୁଥିବା ମାମଲାକୁ ନଜରରେ ରଖି ଅମରାବତୀ ଓ ଅକୋଲାରେ ସପ୍ତାହନ୍ତ ଲକଡାଉନ ଜାରି କରାଯାଇଥିବା ବେଳେ ଯବତମାଳରେ ୧୦ଦିନିଆ ଲକଡାଉନ ଓ ନାଗପୁରରେ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବେଳେ ଏବେ ତତ୍ପର ପ୍ରକାଶ କରିଛନ୍ତି କର୍ଣ୍ଣାଟକ ସରକାର । କର୍ଣ୍ଣାଟକୁ ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ରିର୍ପୋଟ ବାଧ୍ୟତାମୂଳକ କରାଯାଇଛି ।

ସେପଟେ ଟିକାକରଣରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ୧୯ତାରିଖ ସୁଦ୍ଧା ଦେଶରେ ୧କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ଭାରତରେ ୩୪ଦିନ ମଧ୍ୟରେ ମୋଟ ୧ କୋଟି ୭ଲକ୍ଷ ୧୫ହଜାର ୨୦୪ଜଣଙ୍କୁ ଦିଆ ସରିଛି କରୋନା ଟିକା ।