ପ୍ରଥମ ଥର ପାଇଁ ପରୋକ୍ଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । କହିଲେ, ସେ ରାଷ୍ଟ୍ରପତି ରହିବେ ନା ନାହିଁ ସମୟ କହିବ

273

କନକ ବ୍ୟୁରୋ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇସାରିଛି । ଆଉ ଜନାଦେଶ ପରବର୍ତି ରାଷ୍ଟ୍ରପତି ଭାବେ ଜୋ-ବାଇଡେନଙ୍କୁ ମୁକୁଟ ପିନ୍ଧାଇସାରିଛି । ଏପଟେ ନିର୍ବାଚନ ଫଳାଫଳକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବା ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ନରମ ପଡିଛନ୍ତି । କହିଛନ୍ତି ସମୟ କହିବ ସେ ରାଷ୍ଟ୍ରପତି ରହିବେ ନା ନାହିଁ ।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏଇଥି ପାଇଁ ବିଚାର କରାଯାଉଛି, କାରଣ ପୂର୍ବରୁ ଟ୍ରମ୍ପ ଓ ଟ୍ରମ୍ପଙ୍କ ପ୍ରଚାର ଟିମ ଅଭିଯୋଗ ଆଣୁଥିଲେ ଭୋଟଦାନ ଓ ଭୋଟ ଗଣନାରେ ଜାଲିଆତି କରାଯାଇଛି । ହେଲେ ପ୍ରଥମ ଥର ପାଇଁ ପରାଜୟକୁ ପରୋକ୍ଷରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ । ସେପଟେ ବିଦେଶ ବିଭାଗ ସଚିବ ମାଇକ ପମ୍ପିଓ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ହିଁ ଆମେରିକାର ରାଷ୍ଟ୍ରପତି ରହିବେ । ପମ୍ପିଓ କେଉଁ ଆଧାରରେ ଏହି ବୟାନ ଦେଲେ ନା ତାହା କେବଳ ଏକ ରାଜନୈତିକ ଷ୍ଟଂଟ ଥିଲା ସ୍ପଷ୍ଟ ହୋଇ ନାହିଁ ।

ଆମେରିକା ନିର୍ବାଚନ ଫଳାଫଳ ଆସିବାର ଏକ ସପ୍ତାହ ବିତିଗଲାଣି, ହେଲେ ବର୍ତମାନ ସୁଦ୍ଧା ଟ୍ରମ୍ପଙ୍କ ଏମିତି କୌଣସି ବୟାନ ଆସିନାହିଁ । ଯେଉଁଥିରେ ସେ ଗଣତାନ୍ତ୍ରିକ ପଦ୍ଧତିରେ ପରାଜୟକୁ ସ୍ୱୀକାର କରିଛନ୍ତି । ସେପଟେ ଫଳାଫଳ ଆସିବା ପରେ ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ହଟାଇ ତାଙ୍କ ସ୍ଥାନରେ ନିଜ ଅନୁଗତଙ୍କୁ କାର୍ଯ୍ୟଭାର ଦେଇଛନ୍ତି । ତେଣୁ ସେନା ସହାୟତାରେ ଟ୍ରମ୍ପ କ୍ଷମତା କବଜା କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା, ହେଲେ ଏହାର ବଳିଷ୍ଠ ପ୍ରମାଣ ମିଳିନାହିଁ ।

ସେନା ସହାୟତାରେ ଟ୍ରମ୍ପଙ୍କ କ୍ଷମତା କବଜା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି, ଜଏଂଟ ଚିଫ ଅଫ ଷ୍ଟାଫ ଚେୟାରମ୍ୟାନ ଜେନେରାଲ ମାର୍କ ମାଇଲି । ସେ କହିଛନ୍ତି ସେନା, ରାଜା କି ରାଣୀର ନୁହେଁ ଦେଶର ସମ୍ବିଧାନର ଶପଥ ନେଇଥାନ୍ତି । ପ୍ରତି ସୈନ୍ୟ ନିଜ ଜୀବନ ଅପେକ୍ଷା ସମ୍ବିଧାନର ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଆସନ୍ତା ମାସରେ ଅର୍ଥାତ ଡିସେମ୍ବର ୮ ତାରିଖରେ ଇଲୋକ୍ଟରାଲ କଲେଜର ବୈଠକ ଓ ଡିସେମ୍ବର ୧୪ରେ ହେବ ଭୋଟ ଗ୍ରହଣ । ଏହାପୂର୍ବରୁ ଆଇନଗତ ମାମଲା ସହ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ସାରିବାକୁ ହେବ । ଏପରି ସ୍ଥିତିରେ ଟାଳଟୁଳ ନୀତି ଅବଲମ୍ବନ ନକରି ଡୋନାଲ୍ଡ ଟ୍ରମ୍ପ ଶୀଘ୍ର ଜୋ-ବାଇଡେନକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇ ହ୍ୱାଇଟ ହାଉସରୁ ବିଦାୟ ନେବେ ବୋଲି ଚର୍ଚ୍ଚା ଚାଲିଛି ।