ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିଣି ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ । 

98

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ନେତୃତ୍ୱ ନେଲେ ମହିଳା ପାଇଲଟ । ଜଣେ ରାଜପଥରେ ଏବଂ ଅନ୍ୟ ଜଣେ ରାଜପଥ ଉପରେ । ତେଜସ ବିମାନ ଓ ରୋହିନି ରାଡାର୍ସର ନେତୃତ୍ୱ ନେଲେ ଫ୍ଲାଇଟ ଲେଫ୍ଟନାଂଟ ଭାବନା କାନ୍ତ । ସେହିପରି ଏମଆଇ-୧୭ ଭି-୫ ବିମାନ ଉଡାଇଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ । ଏହାସହ ଆର୍ମିର ଏକମାତ୍ର କମାଣ୍ଡର ଭାବେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇ ଶିଲକା ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମର ନେତୃତ୍ୱ ନେଇଛନ୍ତି କ୍ୟାପଟେନ ପ୍ରୀତି ଚୌଧୁରୀ ।

ଇତିହାସ ରଚିଲେ ଦୁଇ ମହିଳା ପାଇଲଟ । ପ୍ରଥମ ଥର ପାଇଁ ବାୟୁସେନା ପରେଡର ନେତୃତ୍ୱ ନେଲେ ଦୁଇ ମହିଳା । ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କାନ୍ତ ଓ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ । ତେଜସ ବିମାନ, ବ୍ରହ୍ମୋସ ମିଜାଇଲ ଓ ଲଢୁଆ ହେଲିକପ୍ଟର ରୁଦ୍ର ସହ ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଇଛନ୍ତି ୨୮ ବର୍ଷୀୟ ଭାବନା କାନ୍ତ । ୨୦୧୬ରେ ବାୟୁସେନାର ଲଢୁଆ ବିମାନ ସ୍କ୍ୱାର୍ଡରେ ସାମିଲ ହୋଇଥିବା ଭାବନା ମିଗ୍-୨୧ ବାଇସନ ଲଢୁଆ ବିମାନ ଉଡାନ୍ତି । ବିହାର ଦରଭଙ୍ଗାର ଝିଅ ଭାବନା ଇଂଜିନିୟରିଂରେ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି । ସେହିପରି ୨୦୨୦ରେ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କାନ୍ତ ।

ସେହିପରି ରାଜପଥ ଉପରେ ଫ୍ଲାଇପାଷ୍ଟରେ ଏମଆଇ-୧୭ ଭି-୫ ବିମାନ ଉଡାଇଲେ ୨୮ବର୍ଷୀୟ ଫ୍ଲାଇଟ ଲେଫ୍ଟନାଂଟ ସ୍ୱାତୀ ରାଠୋଡ । ରାଜସ୍ଥାନ ନଗଉରର ଏକ ଗାଁରେ ଜନ୍ମ ନେଇଥିବା ସ୍ୱାତୀ ଏନସିସି ଏୟାର ୱିଙ୍ଗରେ ଯୋଗଦେଇଥିଲେ । ୨୦୧୪ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ସ୍ୱାତୀ । ଅନେକ ବଡ ବଡ ଅପରେସନରେ ସାମିଲ ହୋଇଥିବା ସ୍ୱାତୀଙ୍କୁ ୨୦୧୮ରେ କେରଳ ବନ୍ୟା ସମୟରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଗତବର୍ଷ ବାୟୁସେନା ଦିବସରେ ଫ୍ଲାଇପାଷ୍ଟରେ ସାମିଲ ହୋଇଥିଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ ।

ସେହିପରି ଆର୍ମିର ଏକ ମାତ୍ର ମହିଳା କମାଣ୍ଡର ଭାବେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛନ୍ତି । ଶିଲକା ଆଂଟି ଏୟାରକ୍ରାଫ୍ଟ ସିଷ୍ଟମର ନେତୃତ୍ୱ ନେଇଛନ୍ତି ଏହି ସାହସୀ ଝିଅ । ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଶିଲକା ଆଂଟି ଏୟାରକ୍ରାଫ୍ଟ ସିଷ୍ଟମର ନେତୃତ୍ୱ ନେଇଥିବା କ୍ୟାପଟେନ ପ୍ରୀତି ଚୌଧୁରୀ ହେଉଛନ୍ତି ପରେଡରେ ସାମିଲ ହୋଇଥିବା ଜଣେ ମାତ୍ର ମହିଳା ସେନା ଅଧିକାରୀ । ପାନିପଥର ପ୍ରୀତି ୧୪୦ଏୟାର ଡିଫେନ୍ସ ରେଜିମେଂଟର ସଦସ୍ୟ । ଶିଲକା ଆଂଟି ଏୟାରକ୍ରାଫ୍ଟ ସିଷ୍ଟମରେ ଅତ୍ୟାଧୁନିକ ରାଡାର ଓ ଡିଜିଟାଲ ଫାୟାର କଂଟ୍ରୋଲ ସିଷ୍ଟମ ଖଂଜା ହୋଇଛି ।